ପ୍ରସାଦ ଓ ପ୍ରଭାରୀଙ୍କ ବିରୋଧରେ ମନ୍ତବ୍ୟ ପଡିଲା ମହଙ୍ଗା ! ତାରା, ଅନନ୍ତ ଓ ପ୍ରଫୁଲ୍ଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ପିସିସି ଶୃଙ୍ଖଳା କମିଟ

37

କନକ ବ୍ୟୁରୋ : ମହଙ୍ଗା ପଡିଲା ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ ହରିପ୍ରସାଦ ଓ ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ମନ୍ତବ୍ୟ । ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ଓ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ପିସିସି ଶୃଙ୍ଖଳା କମିଟି । ଏଆଇସିସିର ନିର୍ଦେଶକ୍ରମେ ନୋଟିସ ଜାରି କରାଯାଇଛି । ୭ ଦିନ ଭିତରେ ଉତ୍ତର ରଖିବା ପାଇଁ ନୋଟିସ୍ ଜାରି କରାଯାଇଥିବା କହିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ର ।

ଶୃଙ୍ଖଳା କମିଟିର ଅଧ୍ୟକ୍ଷା କିଏ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତାରା ପ୍ରସାଦ ବାହିନୀପତି । ରାଜନୈତିକ ଜୀବନ ଭିତରେ ଦଳରେ କୌଣସି ବିଶୃଙ୍ଖଳା ଆଚରଣ କରିନଥିବା କହିଛନ୍ତି ତାରା । ଏହାସହ ନୋଟିସ୍ ପାଇବା ପରେ ଏହାର ଲିଖିତ ଜବାବ୍ ରଖିବେ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କୌଣସି ଚିଠି ପାଇନଥିବା କହିଛନ୍ତି ଅନନ୍ତ । ଖବର କାଗଜରୁ ପିସିସି ଶୃଙ୍ଖଳା କମିଟିର ଚିଠି ବାବଦରେ ଜାଣିବାକୁ ପାଇଥିବା କହିଛନ୍ତି ଅନନ୍ତ ସେଠୀ । ଏହାସହ ଖବର କାଗଜ ପଢି କିଛି ପ୍ରତିକ୍ରିୟା ଦିଆଯାଏ ନାହିଁ । ନିଜ ରାଜନୈତିକ କ୍ୟାରିୟର ଭିତରେ କିଛି ଦଳ ବିରୋଧୀ ମତ ଦେଇନଥିବା ସେ କହିଛନ୍ତି ।

ତାରାଙ୍କ ଭଳି ଅନନ୍ତ ମଧ୍ୟ କହିଛନ୍ତି ଶୃଙ୍ଖଳା କମିଟି କେଉଁଟା ସେ ଜାଣି ନାହାନ୍ତି । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ, ଶୃଙ୍ଖଳା କମିଟିର ଅଧିକାର ନାହିଁ ତାଙ୍କୁ ନୋଟିସ କରିବା ପାଇଁ । ଏହା ଦଳର ସମ୍ବିଧାନରେ ରହିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ।

ପ୍ରଫୁଲ୍ଲ ମାଝୀ କହିଛନ୍ତି ତାଙ୍କୁ ମଧ୍ୟ ଶୃଙ୍ଖଳା କମିଟିର କୌଣସି ନୋଟିସ ମିଳିନାହିଁ । ନୋଟିସ ମିଳିଲେ ତାର ଉତ୍ତର ଦିଆଯିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମାଝୀ । ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି, ଯାହ କରିଛନ୍ତି ଦଳର ହିତ ପାଇଁ କରିଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଫୁଲ୍ଲ ମାଝୀ ।