ପାଟକୁରା ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ : ନେତାଙ୍କ ସହ ଆଲୋଚନା କଲେ ନବୀନ, ବିଜେଡି ପ୍ରାର୍ଥୀଙ୍କ ପୁଅ କହିଲେ, ନିଶ୍ଚିତ ଜିତିବେ ସାବିତ୍ରୀ ଅଗ୍ରୱାଲ

172

କନକ ବ୍ୟୁରୋ : ନବୀନ ନିବାସରେ ପାଟକୁରା ରଣନୀତି । ନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଆଗାମୀ ଦିନରେ ପାଟକୁରାରେ କ’ଣ ରଣନୀତି ରହିଛି ? ମନୋବଳ ବଢ଼ାଇବା ସହ ତଳସ୍ତରରେ କିପରି ପ୍ରଚାର ଚାଲିଛି ବୋଲି ପଚାରି ବୁଝିଛନ୍ତି ନବୀନ । ଦାୟିତ୍ୱରେ ଥିବା ସମସ୍ତଙ୍କ ସହ ଜଣ ଜଣ କରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ମନ ଜଣିବା ପାଇଁ ଶେଷ ଦୁଇ ଦିନରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

ସେପଟେ ବୈଠକ ପରେ ଦଳର ବରିଷ୍ଠ ନେତାମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସାବ୍ରିତ୍ରୀ ଅଗ୍ରୱାଲଙ୍କ ପୁଅ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡ଼ି ପାଇଁ ପାଟକୁରାର କୌଣସି ପ୍ରକାର ଚ୍ୟାଲେଞ୍ଜ ନାହିଁ । ମାଆ ନିର୍ବାଚନରେ ନିଶ୍ଚିତ ଜିତିବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ନବୀନ ନିବାସରେ ମନ୍ତ୍ରୀ ସୁଶାନ୍ତ ସିଂ, ରାଜା ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବହୁ ନେତାଙ୍କ ସହ ବୈଠକ କରିଥିଲେ ନବୀନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବା ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ନବୀନ ନିବାସରେ ପହଚିଂଥିବା ବିଜେଡି ନେତା କିଶୋର ତରାଇ କହିଛନ୍ତି, ପାଟକୁରାରେ ବିଜେଡି ବହୁ ମାତ୍ରାରେ ସଫଳତା ହାସଲ କରିବ ।

ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ପାଟକୁରା ବିଧାନସଭା ପାଇଁ ୨୦ ତାରିଖରେ ନିର୍ବାଚନ ହେବ । ୨୪ ତାରିଖରେ ଫଳାଫଳ ଆସିବ । ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ମେ ୧୯ ଯାଏଁ ଘୁଂଚାଯାଇଥିଲା । ପରେ ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।