ଶେଷ ଦିନରେ ପାଟକୁରାରେ ପ୍ରଚାର ଲଢେଇ : ଗାଁ ଗାଁରେ ତିନି ଦଳର ଜୋରଦାର କ୍ୟାମ୍ପେନ୍,ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ

168

କନକ ବ୍ୟୁରୋ : ମିଶନ ପାଟକୁରାର ଆଜି ଶେଷ ଦିନ । ଆସନ୍ତା ୨୦ ତାରିଖରେ ପାଟକୁରାରେ ଭୋଟ୍ ପଡିବାକୁ ଥିବାବେଳେ, ଆଜି ପ୍ରଚାରର ଶେଷ ଦିନ । ତିନି ଦଳର ପ୍ରାର୍ଥୀ ଲାଗିପଡିଛନ୍ତି ଭୋଟ ମାଗିବାରେ । ଗାଁ ଗାଁ ଜଗିଛନ୍ତି ନେତା, ମନ୍ତ୍ରୀ, ବିଧାୟକ । ଘରକୁ ଘର ଯାଇ ଭୋଟ୍ ମଗା ଚାଲିଛି । ଶେଷ ଦିନରେ ନିଜର ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ଆଜି ଶେଷ ଦିନରେ ଭୋଟରଙ୍କୁ ନିଜ ଆଡକୁ ଟାଣିପାରିଲେ, ପାଟକୁରାରେ ୫ ବର୍ଷ ଯାଏଁ ବିଧାୟକ ହେବେ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର, ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ପ୍ରଚାରର ଶେଷ ଦିନରେ ଭୋଟରଙ୍କ ପାଖକୁ ଯାଇ ଆଶୀର୍ବାଦ ଲୋଡିବେ ।

ଏସବୁ ଭିତରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ରୋଡ୍ ସୋ ଏବଂ ପ୍ରଚାର ପରେ ସରଗରମ ହୋଇଯାଇଛି ପାଟକୁରା ନିର୍ବାଚନୀ ମାହୋଲ । ଏଥର ପାଟକୁରା ବିଧାନସଭା କ୍ଷେତ୍ରର ବିକାଶ କାର୍ଯ୍ୟ ନିଜେ ଦେଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ବହୁ ଭୋଟ୍ରେ ବିଜୟୀ କରିବାକୁ ପାଟକୁରା ବାସୀଙ୍କୁ ଅନୁରୋଧ କରିଛନ୍ତି ନବୀନ । ବିଭିନ୍ନ ଛକ ଓ ବଜାରରେ ହାଇଟେକ ବସ ଉପରୁ ‘ଜୟ ଜଗନ୍ନାଥ, ଅପଣମାନେ ଖୁସି ତ’ କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ବିଜେଡି ଶିବିରରେ ଅଧିକ ଶକ୍ତି ସଂଚାର କରିବା ସହ ନିର୍ବାଚନ ମଇଦାନକୁ ସରଗରମ କରିଛି।

ଗରଦପୁର, ମାର୍ଶାଘାଇ ଓ ଡେରାବିଶର ବିଭିନ୍ନ ପଂଚାୟତର ବାସିନ୍ଦା ଆସନ୍ତା ୨୦ ତାରିଖରେ ପାଟକୁରାର ବିଧାୟକ ବାଛିବେ । ଆଜି ସନ୍ଧ୍ୟାରେ ପାଟକୁରାରେ ପ୍ରଚାର ଥମିଯିବ । ଶେଷ ମୁହୂର୍ତ୍ତରେ ଭୋଟରଙ୍କ ମନ ଜିଣିବାକୁ ୩ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କରିବେ ବୋଲି ଆଶା କରାଯାଉଛି ।