ପାଟକୁରାରେ ମତଦାନ ଆରମ୍ଭ : ମୈଦାନରେ ୧୦ ପ୍ରାର୍ଥୀ, ଆଇନ ଶୃଙ୍ଖଳା ପାଇଁ ୪ କମ୍ପାନୀର ସିଆରପିଏଫ୍ ଯବାନ ମୁତୟନ

70

କନକ ବ୍ୟୁରୋ : କେନ୍ଦ୍ରାପଡ଼ାର ପାଟକୁରା ଆସନ ପାଇଁ ଚାଲିଛି ଭୋଟଗ୍ରହଣ । ଭୋଟ୍ ଦେଉଛନ୍ତି ଭୋଟର । କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବୀଶ, ମାର୍ଶାଘାଇ ଓ ଗରଦପୁର ବ୍ଲକର ୫୧ଟି ପଂଚାୟତକୁ ନେଇ ଗଠିତ ପାଟକୁରା ଆସନରେ ୧୦ ଜଣ ବିଧାୟକ ପ୍ରାର୍ଥୀଙ୍କୁ ୨ ଲକ୍ଷ, ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍ ଦେଉଛନ୍ତି ।  ୩୦୯ଟି ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏହି ନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ୭୪୭ ମତଦାତା । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ୪ କମ୍ପାନୀ ସିଆରପିଏଫ୍ ଯବାନ ମୁତୟନ କରାଯିବା ସହ ୩୧ଟି ବୁଥରେ ୱେବ୍ କାଷ୍ଟିଂ , ୪୦ଟି ସ୍ଥାନରେ ସିସିଟିଭି, ୫୨ଜଣ ମାଇକ୍ରୋ ଅବଜରଭର, ୧୫ଟି ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି  ।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନ ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଏବଂ ପରେ ଫନି ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖ ଦୁଇ ଥର ପରିବର୍ତ୍ତନ ହୋଇଥିଲା । ଏଥିରେ ବିଜେଡି ପକ୍ଷରୁ ସ୍ବର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସର ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୨୪ ତାରିଖରେ ଭୋଟ ଗଣତି କରାଯିବ ।

ସେପଟେ  ଗତକାଲି ପାଟକୁରା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଆସିଥିବା ଏକ ୱେବ୍ଚ୍ୟାନେଲର ପ୍ରତିନିଧିଙ୍କୁ ମାର୍ଶାଘାଇ ବ୍ଲକର କରିଲୋପାଟଣାରେ ଆକ୍ରମଣ ହୋଇଛି। ସେହିପରି ବେଡ଼ାରୀଠାରେ ପାଟକୁରା ନିର୍ବାଚନରେ ଲଢୁଥିବା ସମାଜବାଦୀ ପାର୍ଟିର ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କୁ କେତେକ ଦୁର୍ବୃତ୍ତ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏକ ୱେବ ଚ୍ୟାନେଲର ପ୍ରତିନିଧି ଗାଡ଼ି ଧରି କରିଲୋପାଟଣାକୁ ଆସିଥିଲେ । ସେଠାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଏହି ଚ୍ୟାନେଲ୍ ପ୍ରତିନିଧିଙ୍କ ଗାଡ଼ି ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।