ଆଜି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ଭଦ୍ରକର ୫ ଜଣ ପୁରୁଷଙ୍କ ଠାରେ କରୋନା ଭୂତାଣୁ । ବାଲେଶ୍ୱରରେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ବର୍ଷର ଶିଶୁକନ୍ୟା ଓ ୩୨ ବର୍ଷୀୟ ଯୁବକ

875

କନକ ବ୍ୟୁରୋ : ଆଜି ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ସେମାନଙ୍କ ସମ୍ପର୍କରେ ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । ଆକାନ୍ତ ମାନେ କେତେ ବର୍ଷର ତାହା ସାର୍ବଜନୀନ କରାଯାଇଛି । ଭଦ୍ରକର ୫ ଜଣ ଓ ବାଲେଶ୍ୱରର ୨ ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଭଦ୍ରକର ୫ ଜଣ ପୁରୁଷଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । ୫ ଆକ୍ରାନ୍ତଙ୍କ ବୟସ, ୪୮,୫୫,୫୭,୫୮, ୬୬ ବୋଲି ଜଣାପଡ଼ିଛି । ସେହିପରି ବାଲେଶ୍ୱରର ୨ ବର୍ଷିୟ ଝିଅ ଓ ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 

ସେପଟେ ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଦୁଇ ବର୍ଷର ଶିଶୁ କନ୍ୟା ନୀଳଗିରି ସବଡିଭିଜନର ଧରମପୁର ପଞ୍ଚାୟତର ବାଂଶପାଳ ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏତେ ଛୋଟ ଝିଅ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେସବୁର କଂଟାକ୍ଟ ଟ୍ରେସିଂ କରୁଛି ଜିଲ୍ଲାପ୍ରଶାସନ । ସେ ଓ ତାଙ୍କ ବାପା ମା କେଉଁଆଡେ ଯାଇଥିଲେ, ତାଙ୍କ ଘରକୁ କେଉଁମାନେ ଆସିଥିଲେ ସେସବୁର ଅନୁସନ୍ଧାନ କରୁଛି ପ୍ରଶାସନ । ଏତେ ଛୋଟ ଝିଅ ଆକ୍ରାନ୍ତ ହେବା ରାଜ୍ୟର ପ୍ରଥମ ଘଟଣା । ତେଣୁ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଶିଶୁ ଝିଅଟିର କେସ୍ ନମ୍ବର ୬୮ ରଖାଯାଇଛି । ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଜଣଙ୍କ ନମ୍ବର ୬୭ ରଖଯାଇଥିବାବେଳେ ସେ ୩୨ ବର୍ଷିୟ ପୁରୁଷ ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଦୁଇ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ଏପର୍ଯ୍ୟନ୍ତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।