ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ଅଚଳ !

34

କନକ ବ୍ୟୁରୋ : ରାଜ୍ୟରେ ଦ୍ୱିତୀୟ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବାର ଦୁଇ ସପ୍ତାହ ନ ବିତୁଣୁ ଅଚଳ ହୋଇପଡ଼ିଛି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ । ଦୁଇ ଦିନ ହେଲା ଯନ୍ତ୍ରପାତି ଅଚଳ ହୋଇଥିବାରୁ ହଜାର ହଜାର ଦର୍ଶକ ସୋ’ ଦେଖିବାରୁ ବଞ୍ଚିତ ହେବା ସହ ନିରାଶ ହୋଇ ଫେରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗତ ଦୁଇ ଦିନ ହେଲା ଗୋଟିଏ ବି ହେଲେ ସୋ’ ଚାଲିପାରି ନାହିଁ । ଏନେଇ ପର୍ଯ୍ୟଟକମାନେ ପ୍ଲାନେଟୋରିୟମ୍‌ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କିଛି କହୁନାହାନ୍ତି । ନିର୍ଦ୍ଦେଶକ ମୁହଁ ଖୋଲୁ ନ ଥିବା ବେଳେ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ଉତ୍ତର ଆଶ୍ଚର୍ଯ୍ୟ କରୁଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଁ ବୁର୍ଲା ପ୍ଲାନେଟୋରିୟମ୍‌ ଦାୟିତ୍ୱରେ ରହିଛି । ତେଣୁ ଏଠାରେ ଅଛି । ଭୁବନେଶ୍ୱରରେ କ’ଣ ହୋଇଛି କହି ପାରିବି ନାହିଁ । ସିଷ୍ଟମରେ ବ୍ୟାକଅପ୍‌ ଥାଇପାରେ। ରିଷ୍ଟୋର କରିଦେଲେ ଏକ ଘଣ୍ଟା ଭିତରେ ସୋ’ ଚାଲିପାରିବ । ଯଦି ଯନ୍ତ୍ରପାତି ଅଚଳ ହୋଇଥିବ ତେବେ ତାହା ସଙ୍ଗେ ସଙ୍ଗେ ଠିକ୍‌ କରିବା ସମ୍ଭବପର ନୁହେଁ । ବମ୍ବେରୁ ଇଞ୍ଜିନିୟର ଆସି ଯନ୍ତ୍ର ସଜାଡ଼ିବେ । ତେଣୁ ରବିବାର ମଧ୍ୟ ସୋ’ ଚାଲି ନ ପାରେ ।

ସୂଚନାଯୋଗ୍ୟ ଯେ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ରେ କୌଣସି ଯନ୍ତ୍ରପାତି ଭାଙ୍ଗିଗଲେ କି ଅଚଳ ହେଲେ ସଜଡ଼ା ହୁଏ ନାହିଁ । ସେଭଳି ପଡ଼ି ରହେ । ବାରମ୍ବାର ଏଭଳି ସମସ୍ୟା ଲାଗିରହୁଛି । ତଥାପି କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏବେ ପୂଜା ସମୟ ଚାଲିଥିବାରୁ ପ୍ରତିଦିନ ହଜାରରୁ ଅଧିକ ଦର୍ଶକ ନିରାଶ ହୋଇ ଫେରୁଛନ୍ତି ।