ପାତାଳି ଶ୍ରୀକ୍ଷେତ୍ରର ଅପୂର୍ବ ମହିମା : ଶତାଧିକ ବର୍ଷ ଧରି ଗୁପ୍ତଲୀଳା କରିଥିଲେ ତିନି ଠାକୁର, ଗିରି ଗହ୍ୱର ଭିତରେ ଥିବା ଛୋଟବଡ଼ ଗୁମ୍ଫା ସହ ଜଗନ୍ନାଥଙ୍କୁ ଦେଖିବାକୁ ବର୍ଷ ସାରା ଜମେ ଶ୍ରଦ୍ଧାଳୁ ଭିଡ଼

1,008

କନକ ବ୍ୟୁରୋ : ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ । ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମକ୍ କୋଟସମଲାଇ ଗ୍ରାମ ନିକଟସ୍ଥ ତ୍ରିକୁଟ ପାହାଡ଼ରେ ଅବସ୍ଥିତ ପାତାଳି ଶ୍ରୀକ୍ଷେତ୍ର । ଘଞ୍ଚ ଜଙ୍ଗଲ ଆଉ ଗିରି ଗହ୍ୱର ଭିତରେ ଶତାଧିକ ବର୍ଷ ଧରି ଏଠାରେ ଗୁପ୍ତଲୀଳା କରିଥିଲେ ତିନି ଠାକୁର । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ପାତାଳି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାକୁ ଶହଶହ ଭକ୍ତ ଆସନ୍ତି ।

ସୁବର୍ଣ୍ଣପୁର ସହର ଠାରୁ ୨୩ କିମି ଦୂରରେ ରହିଛି ପାତାଳି ଶ୍ରୀକ୍ଷେତ୍ର । ଅତ୍ୟନ୍ତ ମନୋରମ ପରିବେଶ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରେ । ପାତିଳି ଶ୍ରୀକ୍ଷେତ୍ରର ନିକଟସ୍ଥ ସବୁଜ ଉପତ୍ୟକା ଓ ତରଙ୍ଗାୟିତ ପର୍ବତମାଳା ମନକୁ ଆନ୍ଦୋଳିତ କରେ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ବିଗ୍ରହ ବିଭିନ୍ନ ସମୟରେ କୋଟସମଲାଇ ତ୍ରିକୁଟ କନ୍ଦରରେ ଗୁପ୍ତଲୀଳା କରିଥିବାର ଐତିହାସିକ ସତ୍ୟତା ରହିଛି । ଏଠାରେ ଜଗନ୍ନାଥ ୧୪୪ ବର୍ଷ ଧରି ଗୁପ୍ତଲୀଳା କରିଥିବା ମାଦଳା ପାଞ୍ଜିରେ ବର୍ଣ୍ଣିତ ରହିଛି । ଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପୀଠ ଜଗନ୍ନାଥଙ୍କ ଆଦି ପୀଠ ରୂପେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।

ଏଠାରେ ରହିଛି ପ୍ରାୟ ୨୮ଟି ଛୋଟ ବଡ଼ ଗୁମ୍ଫା । ମାଧବ ଗୁମ୍ଫା, ରାଣୀ ଗୁମ୍ଫା, ଜଗନ୍ନାଥ ଗୁମ୍ଫା, ଧ୍ୱନୀ ଗୁମ୍ଫା ଆଦି ଗୁମ୍ଫାର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି । ପ୍ରତି ଗୁମ୍ଫାକୁ ଏକ ସଙ୍କୀର୍ଣ୍ଣ ରାସ୍ତା ଥିବାବେଳେ ଦେଢ଼ କୋଶ ଯାଏ ଲମ୍ବିଛି ଏହି ରହସ୍ୟମୟ ଗୁମ୍ଫା ଗୁଡ଼ିକ । ଏହି ପୀଠର ବିଶେଷତ୍ୱ ଯାହା ହେଉନା କାହିଁକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ଗୁମ୍ଫାକୁ ଦେଖିବାକୁ ବର୍ଷସାରା ଶ୍ରଦ୍ଧାଳୁ ସୁଅ ଛୁଟେ ।

ପୁରୀ ଶ୍ରୀମନ୍ଦିର ପ୍ରଶାସନ ପରିଦର୍ଶନ କରି ଜଗନ୍ନାଥଙ୍କ ଅନ୍ୟତମ ଲୀଳାଭୂମି ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ପ୍ରତ୍ନତାତ୍ୱିକ ସର୍ବେକ୍ଷଣ କମିଟି ପରିଦର୍ଶନ କରି ଏଠାରେ ଜଗନ୍ନାଥ ସଂସ୍କୃତିର ପ୍ରତ୍ନତାତ୍ୱିକ ବିଭବ ଥିବା ପ୍ରମାଣ ଦେଇଛନ୍ତି ।