ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି ଫିଟିଲା ବାଟ : ବିରୋଧୀଙ୍କ ନାରାବାଜି ଭିତରେ ଗୃହରେ ସଙ୍କଳ୍ପ ପାରିତ, ସମର୍ଥନରେ ପଡିଲା ୧୦୪ ଭୋଟ୍

37

କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ଫିଟିଲା ବାଟ । ବିଧାନସଭାରେ ଏନେଇ ଆଗତ ହୋଇଥିବା ସଂକଳ୍ପ ପାରିତ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିଧାନ ପରିଷଦ ନେଇ ସଂକଳ୍ପ ଆଗତ କରିଥିଲେ । ତେବେ ଏହାକୁ ବିରୋଧ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ଓଡିଶାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ନକରି ଏପରି ନିଷ୍ପତି ନେବା କେତେ ସମୀଚୀନ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଅନ୍ୟପଟେ ୧୮ ବର୍ଷ ପରେ ହଠାତ୍ ବିଧାନ ପରିଷଦ କଥା କାହିଁକି ମନେ ପଡିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ତେବେ ବିଧାନ ପରିଷଦ ଗଠନ ଦ୍ୱାରା ଦ୍ରୁତ ଅଭିବୃଦ୍ଧିରେ ସହାୟକ ହେବ ଏବଂ ଓଡିଶାର ବିକାଶ ଧାରା ତ୍ୱାରାନ୍ୱିତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଏହି ସଂକଳ୍ପକୁ କେନ୍ଦ୍ରକୁ ପଠାଯିବ ଓ ଏ ସଂକ୍ରାନ ଆଇନ ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ । ଏହାପରେ ନିର୍ବାଚନ କମିଶନ ନିର୍ବାଚନ ଲାଗି ରାସ୍ତା କାଢିବେ । ଗତକାଲି ରାତିରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥେମେ ଭୋଟ ଦେବାକୁ ଯାଇଥିଲେ । ବିରୋଧୀ ଦଳଙ୍କ କକ୍ଷତ୍ୟାଗ କାରଣରୁ ବିରୋଧରେ ଭୋଟ ପଡିନଥିଲା । ଆସନ୍ତା ନିର୍ବାଚନ ପୂର୍ବରୁ ଏଭଳି ନିଷ୍ପତିକୁ ନବୀନ ପଟ୍ଟନାୟକଙ୍କ ମାଷ୍ଟ୍ରରଷ୍ଟ୍ରୋକ ବୋଲି କୁହାଯାଉଛି ।

ଏବେ ଆସନ୍ତୁ ଜାଣିବା କେମିତି ହେବ ବିଧାନ ପରିଷଦ ?

ବିଧାନସଭା ପରିଷଦର ସଭ୍ୟ ସଂଖ୍ୟା ୪୯ ହେବ । ପରିଷଦର ଏକ ତୃତୀୟାଂଶ ସଭ୍ୟ ଅର୍ଥାତ ୧୬ ଜଣଙ୍କୁ ବିଧାନସଭାର ସଭ୍ୟମାନେ ନିର୍ବାଚିତ କରିବେ । ସେହିଭଳି ଆଉ ଏକ ତୃତୀୟାଂଶ ଅର୍ଥାତ ୧୬ ଜଣ ସଦସ୍ୟଙ୍କୁ ଜିଲ୍ଲା ପରିଷଦ, ପଂଚାୟତ ସମିତି ସଭ୍ୟ ଓ ସହରାଂଚଳ ଲୋକପ୍ରତିନିଧି ନିର୍ବାଚିତ କରିବେ । ଏକ ଦ୍ୱାଦଶ ଓ ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷରୁ ଅଭିଜ୍ଞତା ସ୍ନାତକଙ୍କୁ ନେଇ ଏକ ଇଲେକ୍ଟ୍ରାରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ସେହିଭଳି ଆଉ ୪ ଜଣ ମାଧ୍ୟମିକ ତଥା ତଦୁର୍ଧ ବିଦ୍ୟାଳୟରେ ୩ ବର୍ଷରୁ ଅଭିଜ୍ଞତି ଥିବା ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଅବଶିଷ୍ଟ ୯ ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ ।