କନକ ବ୍ୟୁରୋ : ପୁଣି ଫେରିବ ପାସ୍-ଫେଲ୍ ବ୍ୟବସ୍ଥା । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ବ୍ୟବସ୍ଥାକୁ ପ୍ରଚଳନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଦୁଇଟି ପର୍ଯ୍ୟାୟରେ ଆଲୋଚନା ସରିଛି । ଶିକ୍ଷାବିତ୍, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପରାମର୍ଶ ନିଆଯାଇଛି । ବିଭାଗୀୟ ମନ୍ତ୍ରୀ ଓ ସଚିବ ବି ଏନେଇ ସହମତି ପ୍ରକାଶ କରିସାରିଛନ୍ତି । ତେଣୁ ୨୦୧୯-୨୦ ତଥା ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ସରକାରୀ ପ୍ରଥମିକ ବିଦ୍ୟାଳୟର ଦ୍ବିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପାସ୍-ଫେଲ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଚୂଡ଼ାନ୍ତ ମୋହର ଲାଗିବାକୁ ବାକି ରହିଛି । ଖୁବ୍ଶୀଘ୍ର ଆଉ ଏକ ବୈଠକ ଡକାଯାଇ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି ।
ମାଟ୍ରିକ୍ ପରୀକ୍ଷାରେ ପାସ୍ହାର ଲଗାତାର ଭାବେ ହ୍ରାସ ପାଉଛି । ଏହା ସହିତ ଦ୍ବାଦଶ ଶ୍ରେଣୀରେ ବି ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଯାହାକୁ ନେଇ ବିଭାଗୀୟ ଅଧିକାରୀମାନେ ଚିନ୍ତାପ୍ରକଟ କରିଛନ୍ତି । ଏବେଠାରୁ ସ୍ଥିତିରେ ସୁଧାର ନ ଆଣିଲେ ଆଗକୁ ସ୍ଥିତି ଖରାପ ହେବାର ଆଶଙ୍କା ପ୍ରକାଶ ପାଇଛି ।
ତେଣୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ଯେଉଁଭଳି ଶିକ୍ଷାଦାନ ପ୍ରଣାଳୀ, ପରୀକ୍ଷା ପରିଚାଳନା ବ୍ୟବସ୍ଥା ରହିଛି ତାହାକୁ ଅନୁକରଣ କରିବାକୁ ଆଲୋଚନା ହେଉଛି। ପାସ୍-ଫେଲ୍ ବ୍ୟବସ୍ଥା ଲାଗୁ ନେଇ ଏକାଧିକ ପ୍ରସ୍ତାବ ଆସିଛି । ସବୁ ଶ୍ରେଣୀ ପାଇଁ ପାସ୍-ଫେଲ୍ ବ୍ୟବସ୍ଥା, ୩ୟ, ୫ମ ଓ ୮ମ ଶ୍ରେଣୀରେ ପାସ୍-ଫେଲ୍ ରଖିବା ଲାଗି ପ୍ରସ୍ତାବ ରହିଛି । ଯଦି ଜଣେ ପିଲା ଫେଲ୍ ହେଉଛି ତେବେ ତାହାର ଶିକ୍ଷା ଗ୍ରହଣର ମାନକୁ ଅନୁଧ୍ୟାନ କରି ଶିକ୍ଷକ ରିପୋର୍ଟ ଦେବେ । ସେହି ଆଧାରରେ ପରବର୍ତୀ ନିଷ୍ପତ୍ତି ନିଆଯିବ ।
ଅନ୍ୟ ଏକ ନିଷ୍ପତ୍ତିକ୍ରମେ ଶିକ୍ଷକମାନେ ଆଉ ଯେପରି ଲୋୟର ପିଏମ୍ଜି ଆସିବେ ନାହିଁ, ଆନ୍ଦୋଳନ କରିବେ ନାହିଁ, ସ୍କୁଲରେ ଶିକ୍ଷାଦାନ ଉପରେ ଅଧିକ ଦୃଷ୍ଟି ଦେବେ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଭାଗୀୟ ମନ୍ତ୍ରୀ ସମୀର ଦାଶ ସିଧାସଳଖ ଶିକ୍ଷକ ସଂଗଠନଗୁଡ଼ିକ ସହ ଆଲୋଚନା କରିବେ । ବିଧାନସଭା ଅଧିବେଶନ ପରେ ଶିକ୍ଷକ ସଂଗଠନଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ସେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ଶିକ୍ଷକମାନେ କିଭଳି ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବେ ସେଦିଗରେ ପଦକ୍ଷେପ ନିଆଯାଉଛି। ଶିକ୍ଷକମାନଙ୍କୁ ଧୀରେ ଧୀରେ ପାଠପଢ଼ା ଛଡ଼ା ଅନ୍ୟ ସବୁ କାର୍ଯ୍ୟରୁ ବିରତ ରଖାଯାଉଛି । ମଧ୍ୟାହ୍ନଭୋଜନ ଦାୟିତ୍ବ ସେମାନଙ୍କ କାନ୍ଧରୁ ହଟାଯାଇଛି । ବିଲ୍ଡିଂ ନିର୍ମାଣ କାର୍ଯ୍ୟ ବୁଝିବା ଦାୟିତ୍ବକୁ ବି ସେମାନଙ୍କଠାରୁ କାଢ଼ି ନିଆଯାଇଛି । ଶିକ୍ଷକମାନେ କିଭଳି ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ବ ଦେବେ ସେଥିପ୍ରତି ପ୍ରାଥମିକତା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।