ବଜେଟ ଆଗରୁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ : ବିକ୍ଷୋଭ ପ୍ରଦର୍ଶନ ନାଁରେ ହିଂସାକାଣ୍ଡ ଦେଶକୁ ଦୁର୍ବଳ କରେ, ଲୋକତନ୍ତ୍ରରେ ହିଂସା ନୁହେଁ ଚର୍ଚ୍ଚା ଜରୁରୀ

134

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ବିଧି ମୁତାବକ ରହିଛି ରାଷ୍ଟ୍ରପତିଙ୍କ ଅଭିଭାଷଣ । ସଂସଦର ମିଳିତ ସଦନକୁ ସଂବୋଧନ କରି ସରକାରଙ୍କ ଅନେକ ଲୋକ ହିତକର ଯୋଜନାକୁ ପ୍ରଶଂସା କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ନ୍ୟୁ ଇଣ୍ଡିଆ ଗଠନ ପାଇଁ ମୋଦି ସରକାରଙ୍କ ଦୃଢ ଲକ୍ଷ୍ୟ ରହିଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଐତିହାସିକ ନିଷ୍ପତ୍ତି । ସମଗ୍ର ଦେଶବାସୀଙ୍କ ପରି ଜମ୍ମୁକାଶ୍ମୀର ଓ ଲଦାଖବାସୀଙ୍କୁ ସମାନତା ଅଧିକାର ମିଳିଛି ।

‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସରେ ମୋ ସରକାର ଚାଲୁଛି’ । ମୋ ସରକାର ପାଇଁ ମୁସଲିମ ମହିଳାଙ୍କୁ ନ୍ୟାୟ ମିଳିଛି । ଉପଭୋକ୍ତା ଆଇନ, ଚିଟଫଣ୍ଡ ଆଇନ ପ୍ରଣୟନ ହୋଇଛି । ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ସଂକଳ୍ପବଦ୍ଧ । ଅଳ୍ପସଂଖ୍ୟକଙ୍କ ପ୍ରଗତି ଲାଗି ସରକାରଙ୍କ ପ୍ରୟାସ ଜାରି ରହିଛି । ଲୋକତନ୍ତ୍ରରେ ଚର୍ଚ୍ଚା ଜରୁରୀ, ହିଂସା ନୁହେଁ । ମୁଦ୍ରା ଯୋଜନାରେ ୧୦ କୋଟିରୁ ଅଧିକ ଋଣ ଦିଆଯାଇଛି । ଉଚ୍ଚଶିକ୍ଷା ପାଇଁ ୨୭୫ଟି କଲେଜର ଆଧୁନୀକରଣ ହେଉଛି । ଅନଲାଇନରେ ଶିକ୍ଷା ବ୍ୟବସ୍ଥା ପାଇଁ କାମ ଚାଲିଛି । ମହିଳାଙ୍କ ସୁରକ୍ଷା ପାଇଁ ସରକାର ସମ୍ବେଦନଶୀଳ ।

ଗ୍ରାମୀଣ ଅଞ୍ଚଳର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ୨ କୋଟି ଗରିବ ଲୋକଙ୍କୁ ଘର ମିଳିଛି । ୨.୫ କୋଟି ଲୋକଙ୍କୁ ବିନା ଭେଦଭାବରେ ବିଦ୍ୟୁତ ଯୋଗାଣ କରାଯାଇଛି । ୮ କୋଟି ଲୋକଙ୍କୁ ମାଗଣା ଗ୍ୟାସ ସଂଯୋଗ ହୋଇଛି । ୬କୋଟି ଚାଷୀଙ୍କ ଖାତା ୧୨ ହଜାର କୋଟି ଦିଆଯାଇଛି । ଆୟୁଷ୍ମାନ ଯୋଜନାରେ ଲୋକଙ୍କୁ ଚିକିତ୍ସା ସୁବିଧା । ୧ହଜାରରୁ ଅଧିକ ଔଷଧ କମ୍ ଦରରେ ବିକ୍ରି କରାଯାଉଛି । ୭୫ଟି ନୂଆ ମେଡିକାଲ ଗଠନ ପାଇଁ ମଞ୍ଜୁରୀ ମିଳିଛି । ୨୨ଟି ଏମ୍ସ ମେଡିକାଲ ପାଇଁ ଅନୁମତି ମିଳିଛି , କାମ ଚାଲିଛି  ।

ସେହିପରି ନାଗରିକତା ସଂଶୋଧନ ଆଇନ ମଧ୍ୟ ଆଉ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହି ଆଇନରେ ସଂଶୋଧନ ସହିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ପୂରଣ ହେବ ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲିଥିବା ବେଳେ ବିରୋଧୀ ଗୃହରେ ପ୍ରତିବାଦ ସହ ନାରାବାଜି କରିଥିଲେ । ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଦେଶରେ ବିରୋଧ ନାଁରେ ହିଂସାକାଣ୍ଡ ଘଟାଇବା ସମାଜ ଓ ଦେଶକୁ ଦୁର୍ବଳ କରିଦେଇଥାଏ ।