୮୨ ବର୍ଷର ବିକ୍ରି ରେକର୍ଡ ଭାଙ୍ଗିଲା ପାର୍ଲେ ଜି । ତାଲାବନ୍ଦରେ ଲୋକେ ଖୁବ ଖାଇଲେ ବିସ୍କୁଟ,କମ୍ପାନୀର ବିକ୍ରି ୮ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସର୍ବାଧିକ

788

କନକ ବ୍ୟୁରୋ : ଲକଡାଉନରେ ପାର୍ଲେଜିର ରେକଡସ୍ତରୀୟ ବିକ୍ରି । ୮୨ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି । ୫ଟଙ୍କାରେ ମିଳୁଥିବା ପାର୍ଲେଜି ବିସ୍କିଟ ପ୍ୟାକେଟ ହଜାର ହଜାର କିଲୋମିଟର ପାଦରେ ଚାଲୁଥିବା ପ୍ରବାସୀ ଶ୍ରମିକ ପାଇଁ ସାହାରା ସାଜିଥିବା ପ୍ରମାଣିତ ହୋଇଛି । ଇକୋନମିକ୍ସ ଟାଇମ୍ସ ରିପୋର୍ଟ ମୁତାବକ ମାର୍ଚ୍ଚ,ଏପ୍ରିଲ, ମେଁରେ ପାର୍ଲେଜିର ଶାନଦାର ବ୍ୟବସାୟ ହୋଇଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୩ରେ ସାରା ଦେଶରେ ଲକଡାଉନ ଘୋଷଣା କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସହ ଦେଶରେ ଚଳପ୍ରଚଳ ଉପରେ ବ୍ରେକ ଲାଗିଥିଲା ।

ବସ ,ଟ୍ରେନ ସେବା ବନ୍ଦ ଥିଲା ।ହେଲେ ଲକଡାଉନର କିଛି ଦିନ ପରେ ବାହାର ରାଜ୍ୟରେ ଥିବା ଲୋକ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକ ନିଜ ଘରକୁ ବା ରାଜ୍ୟକୁ ପାଦରେ ଚାଲି ଚାଲି ବାହାରିଲେ । ଏପରିକି ସେମାନେ ଅଖିଆ ଅପିଆ ରହି ହଜାର ହଜାର କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ । ପରବର୍ତୀ ସମୟରେ ପ୍ରବାସୀ ଶ୍ରମିକଙ୍କ ଏପରି ଅବସ୍ଥା ଓ ଭିଡକୁ ନଜରରେ ରଖି କେନ୍ଦ୍ର ସରକାର ସେମାନଙ୍କ ପାଇଁ ବସ ଓ ଟ୍ରେନର ସୁବିଧା ଯୋଗାଇଦେଲେ ।କିନ୍ତୁ ଏଭଳି ଏକ ଘଡିସନ୍ଧି ମୁହୁର୍ତରେ କିଛି ଲୋକ ସହାୟତାର ହାତ ବଢାଇଥିଲେ । ବିଶେଷ କରି ଶ୍ରମିକଶ୍ରେଣୀର ଲୋକଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ । ଏହାରି ଭିତରେ ୫ ଟଙ୍କିଆ ପାର୍ଲେଜି ଭୋକିଲା ପାଇଁ ସାହାରା ପାଲଟିଥିଲା । କେହି କେହି ଏହାକୁ ନିଜ ଖର୍ଚ୍ଚରେ କିଣିକି ଖାଇଲେ ଆଉ କେହି ସହାୟତା ଆକାରରେ ଦେଇଥିଲେ ।

ଖାଲି ଏତିକି ନୁହେଁ,ପରିବହନ ବ୍ୟବସ୍ଥା ବନ୍ଦ ରହିଥିବାରୁ କାଳେ ଆଗକୁ ଖାଦ୍ୟ ସଙ୍କଟ ଦେଖାଦେବ ତେଣୁ ପରିସ୍ଥିତିକୁ ନଜରରେ ରଖି ଲୋକେ ବିପୁଳ ପରିମାଣରେ ପାର୍ଲେଜି ବସ୍କୁଟକୁ ଘରେ କିଣି ରଖିଥିଲେ । ବିଶେଷ କରି ମାର୍ଚ୍ଚ,ଏପ୍ରିଲ, ମେଁରେ ପାର୍ଲେଜି ବିସ୍କିଟର ବିକ୍ରି ୮୨ବର୍ଷର ରେକର୍ଡ ଭାଙ୍ଗିଛି । ପାର୍ଲେ କମ୍ପାନୀର ମାର୍କେଟ ସେୟାର ପାଖାପାଖି ୫ପ୍ରତିଶତ ବୃଦ୍ଧି ପାଇଛି । ଆଉ ଏଥଇରୁ ୮୦-୯୦ ପ୍ରତିଶତ ବୃଦ୍ଧି ପାର୍ଲେଜି ବିକ୍ରିରୁ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।୧୯୩୮ରୁ ପାର୍ଲେଜି ଭାରତୀୟ ମଧ୍ୟରେ ଏକ ଲୋକପ୍ରିୟ ବ୍ରାଣ୍ଡ ହୋଇ ରହିଛି ।