କନକ ବ୍ୟୁରୋ : ରାଜଧାନୀରେ ପାର୍କିଂ ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଥିବାବେଳେ ଏହାର ସ୍ଥାୟୀ ସମାଧାନ କରିବା ଏବଂ ବ୍ୟବସ୍ଥିତ ଢଙ୍ଗରେ ପାର୍କିଂ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ପାର୍କିଂ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ । ଏହି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବା ପରେ ଏହାକୁ ଲାଗୁ କରିବା ପାଇଁ ନୂଆ ପାର୍କିଂ ନୀତି ଆସିବ । ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଆରଏଫ୍‌ପି ଆହ୍ଵାନ ହୋଇଛି । ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ଏବେ ଦେଶର ଏକ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସହର ହୋଇଥିବାରୁ ଏଠାରେ ଗାଡ଼ି ସଂଖ୍ୟା ଜାତୀୟ ହାରଠାରୁ ବହୁତ ବଢ଼ିଗଲାଣି । ଏପରିକି ଭୁବନେଶ୍ୱର ସହର ଏବଂ ଏହାର ଆଖପାଖ ଅଞ୍ଚଳକୁ ନେଇ ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସିଡିପି-୨୦୦୮ ସମୟରେ ରାଜଧାନୀର ମୋଟ ଯାନବାହାନର ୪୯% ଦୁଇଚକିଆ ଯାନ ଥିଲା । ୧୧% କାର୍‌ ଥିଲା । ବାକି ଗାଡ଼ି ଅଟୋ, ବସ୍‌, ଟ୍ରକ୍‌ ଏବଂ ଅନ୍ୟାନ୍ୟ ଗାଡ଼ି ଥିଲା । କିନ୍ତୁ ପରବର୍ତ୍ତୀ ୫ବର୍ଷରେ ରାଜଧାନୀରେ ୫ଲକ୍ଷ ଗାଡ଼ି ବଢ଼ିଗଲା । ଯାହା ଜାତୀୟ ହାରଠାରୁ ବହୁତ ଅଧିକ ଥିଲା । ଏଥିରେ ଅଧିକାଂଶ କାର୍‌ ଥିଲା । ଏହାପରେ ରାଜଧାନୀରେ ପାର୍କିଂ ସମସ୍ୟା ବଢ଼ିଗଲା । ଏବେ ରାଜଧାନୀରେ ଗାଡ଼ି ପାର୍କିଂ କରିବା ଏକ ପ୍ରମୁଖ ସମସ୍ୟା ପାଲଟିଛି ।

Advertisment

parking fee

ଏବେ ରାଜଧାନୀରେ ପ୍ରାୟ ୧୦ଲକ୍ଷ ଲୋକ ଥିବାବେଳେ ୨୦୩୦ରେ ଏହା ୨୦ଲକ୍ଷ ଛୁଇଁବ । ଏହି ଅନୁପାତରେ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିବ । ଭବିଷ୍ୟତରେ ଯେପରି ପାର୍କିଂ ସମସ୍ୟା ନଉପୁଜେ ତାକୁ ନଜରରେ ରଖି ଯୋଜନା କରାଯିବ । ଅନ୍ତର୍ଜାତୀୟସ୍ତରରେ ଆରଏଫ୍‌ପି ଡକାଯାଇଥିବାବେଳେ ଏଥିରେ ପାର୍କିଂ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଛି । ଭୁବନେଶ୍ୱରରେ ଏବେ ମୁଖ୍ୟତଃ ଅନଷ୍ଟ୍ରିଟ୍‌ ପାର୍କିଂ ହେଉଥିବାବେଳେ କାଁ ଭାଁ ଅଫଷ୍ଟ୍ରିଟ୍‌ ପାର୍କିଂ ହେଉଛି । ଆଗାମୀ କିଛି ବର୍ଷକୁ ନଜରରେ ରଖି ଦୁଇଟି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା କରାଯାଇଛି । କିପରି ଭବିଷ୍ୟତରେ ରାଜଧାନୀର ବିଭିନ୍ନ ରାସ୍ତାରେ ପାର୍କିଂସ୍ଥଳୀ ହୋଇପାରିବ, କେଉଁଠି ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା ରହିବ, ଖେଳ ପଡ଼ିଆଗୁଡ଼ିକୁ ସଂଧ୍ୟା ପରେ ପାର୍କିଂ ପାଇଁ ବ୍ୟବହାର କରିହେବ, କେଉଁ ଅଞ୍ଚଳରେ କେତେ ଭିଡ଼ ଅଛି ଏବଂ କେଉଁଠି ପାର୍କିଂ କରିବେ, କେତେ ମହଲା ବିଶିଷ୍ଟ ଘର/ଅଫିସ୍‌ ନିର୍ମାଣ ହେଲେ କେତେ ପାର୍କିଂ ଅଞ୍ଚଳ ରହିବ, ଖାଲି ପଡ଼ିଥିବା ଘରୋଇ ଜମିକୁ କିପରି ପାର୍କିଂ ଉଦ୍ଦେଶ୍ୟରେ ବ୍ୟବହାର କରିହେବ, ଭାରୀଯାନ ଏବଂ ସିଟି ବସ୍‌ ପାର୍କିଂ ପାଇଁ ଡିପୋ, ପାର୍କିଂ ଯୋଗୁଁ ଯେପରି କୌଣସି ଯାତାୟାତ ସମସ୍ୟା ନଉପୁଜେ, ବାଇ ସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଲାଗୁ ହେବାକୁଥିବାବେଳେ ଏଥିରେ ଯେପରି ସମସ୍ୟା ନହୁଏ, ଲୋକମାନେ କିପରି ସ୍ମାର୍ଟ କାର୍ଡରେ ପାର୍କିଂ ଫି’ ଦେବେ, ପାର୍କିଂ ପାଇଁ ଆଗୁଆ ବୁକିଂ କରିପାରିବେ ସେନେଇ ସର୍ଭେ କରି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୪୦କିମି ରାସ୍ତାେରେ ଏହା ଲାଗୁ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହା ପୂରା ରାଜଧାନୀରେ ଲାଗୁ ହେବ । ନୂଆ ପାର୍କିଂ ନୀତିରେ ପାର୍କିଂସ୍ଥଳୀଗୁଡ଼ିକୁ ତିନିଟି ପର୍ଯ୍ୟାୟରେ ନିଲାମ ଦିଆଯିବ । ଏଥିରେ କେତେକ ପାର୍କିଂସ୍ଥଳୀ ତିନି ବର୍ଷ ପର୍ଯ୍ୟନ୍ତ, କେତୋଟି ୪ରୁ ୧୦ବର୍ଷ ପର୍ଯ୍ୟନ୍ତ, କେତୋଟି ୧୦ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ନିଲାମ ଦିଆଯିବ । ପ୍ରତ୍ୟେକ ପାର୍କିଂ ସ୍ଥଳୀର ମାସିକିଆ ସମୀକ୍ଷା ହେବ । ଯେପରି ପାର୍କିଂସ୍ଥଳୀରେ ଲୋକଙ୍କୁ ଦୁର୍ବ୍ୟବହାର କରାନଯିବ, ବେଆଇନ ପାର୍କିଂ ହୋଇଥିଲେ ଗାଡ଼ି ଜବତ କରିବା ଭଳି ନିୟମ ରହିବ ।