ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ : ପରୀକ୍ଷା ସମୟରେ ଭାରାକ୍ରାନ୍ତ ରହିବା ଅନୁଚିତ୍, ମନକୁ ସ୍ଥିର ରଖିବା ନିହାତି ଜରୁରୀ

Advertisment
ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ : ପରୀକ୍ଷା ସମୟରେ ଭାରାକ୍ରାନ୍ତ ରହିବା ଅନୁଚିତ୍, ମନକୁ ସ୍ଥିର ରଖିବା ନିହାତି ଜରୁରୀ

କନକ ବ୍ୟୁରୋ : ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ସ । ଆଗକୁ ପରୀକ୍ଷା ଋତୁ ଆସୁଥିବା ବେଳେ ଚାପମୁକ୍ତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ତାଲକୋଟରା ଷ୍ଟାଡିଅମରେ ଆୟୋଜିତ- ପରୀକ୍ଷା ପେ ଚର୍ଚା କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ପାଇଁ ଉପାଦେୟ ପରାମର୍ଶ ଦେଇଛନ୍ତି । ପରୀକ୍ଷା ପାଇଁ ଟିପ୍ସ ଦେବାସହ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନବବର୍ଷରେ  ନୂଆ ସଂକଳ୍ପ ଓ ନୂଆ ସିଦ୍ଧି ନେଇ ଆଗକୁ ବଢିବାକୁ ପରାମର୍ଶ ଦେଲେ ନରେନ୍ଦ୍ର ମୋଦି । ବର୍ତ୍ତମାନ ମୋଦି ଚାପମୁକ୍ତ ପରୀକ୍ଷା ଉପରେ ଆଲୋଚନା କରୁଛନ୍ତି ।

  • ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବା ସହ ମୋଦି କହିଛନ୍ତି, ପିଲାଙ୍କ ସହ ମିଶିଲେ ମୋତେ ବହୁତ ଅନୁଭୂତି ମିଳେ । ମୋର ସବୁ କାମ ଅପେକ୍ଷା ମୋତେ ପରୀକ୍ଷା ପେ ଚର୍ଚ୍ଚା ବହୁତ ଭଲଲାଗେ ।  ଏହି ଦଶନ୍ଧିର ସମ୍ଭାବନାର ଦଶନ୍ଧି, ଆଉ ଏଥିରେ ପିଲାଙ୍କ ଯୋଗଦାନ ମହତ୍ୱପୂର୍ଣ୍ଣ ।
  • ଯୁବଗୋଷ୍ଠୀଙ୍କ ସହ ଆଲୋଚନା ଖୁବ ପ୍ରେରଣାଦାୟୀ । ପରୀକ୍ଷା ପାଇଁ ପିଲାଙ୍କ ସହ ବାପା-ମା’ ମଧ୍ୟ ଚାପରେ ରହିଥାନ୍ତି । ମୋତେ ଆପଣଙ୍କ ବାପା-ମା’ଙ୍କ ବୋଝ ହ୍ରାସ କରିବାକୁ ପଡିବ । ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ମୁଁ ବି ଆପଣଙ୍କ ପରିବାରର ଜଣେ ସଦସ୍ୟ ।
  • ପରୀକ୍ଷା ସମୟରେ ଭାରାକ୍ରାନ୍ତ ରହିବା ଅନୁଚିତ୍ । ମନକୁ ସ୍ଥିର ରଖିବା ନିହାତି ଜରୁରୀ । ଏଭଳି ସମୟରେ ସେଲ୍ଫ ମୋଟିଭେସନ୍ ଜରୁରୀ ।
  • ପିଲାଙ୍କ ସହ ଚନ୍ଦ୍ରଯାନ ସମୟର ଅନୁଭୂତି ବାଣ୍ଟିଲେ ନରେନ୍ଦ୍ର ମୋଦି । ଚନ୍ଦ୍ରଯାନ ୨ ସମୟରେ ମୁଁ ରାତି ସାରା ଉଜାଗର ଥିଲି । ଚନ୍ଦ୍ରଯାନ ବିଫଳ ହେବାପରେ ପୁରା ଭାରତ, ସାରା ବିଶ୍ୱ ଆଗରେ ଟାର୍ଗେଟ ହୋଇଯାଇଥିଲା । ଉପସ୍ଥିତ ମ୍ରିୟମାଣ ବୈଜ୍ଞାନିକଙ୍କୁ ପ୍ରବୋଧନା ଦେଇଥିଲି । ତେବେ ଏହି ଘଟଣାରୁ ଶିଖିବା ଉଚିତ । ବିଫଳତାରୁ ହିଁ ଆମେ ସଫଳତା ପାଇପାରିବା । ବିଫଳ ହେଲେ ବି ଆଗକୁ ବଢ଼ନ୍ତୁ ।
  • ଦୁନିଆ ବଦଳି ଗଲାଣି । ସମ୍ଭାବନା ମଧ୍ୟ ବଦଳୁଛି । କେବଳ ପରୀକ୍ଷାରେ ପାଉଥିବା ନମ୍ବର ସବୁକିଛି ନୁହେଁ । ପରୀକ୍ଷାରେ ପାଉଥିବା ନମ୍ବର ଗୁରୁତ୍ୱପୂର୍ଣ୍ଣ ହୋଇପାରେ କିନ୍ତୁ, ଏହା ଜୀବନ ନୁହେଁ । ନମ୍ବର କମିଗଲେ ପୃଥିବୀ ଓଲଟିଗଲା ପରି ବାପାମା’ ଭାବନ୍ତି । ମନକୁ ତାଜା ରଖିବା ପାଇଁ ଦୈନିକ କିଛି ନା କିଛି ନୂଆ କରିବା ଉଚିତ । ଅନ୍ୟପଟେ ବାପାମା’ ମାନେ ପିଲାର ରୁଚି ଉପରେ ଗୁରୁତ୍ୱ ଦେବା ଜରୁରୀ ।
  • ଟେକ୍ନୋଲୋଜି ଭୟ ନିଜ ଭିତରେ ଆଣନ୍ତୁ ନାହିଁ । ବଦଳୁଥିବା ନୂତନ ଜ୍ଞାନକୌଶଳକୁ ବନ୍ଧୁ ଭାବିବାକୁ ପଡ଼ିବ । ନୂତନ ଜ୍ଞାନକୌଶଳକୁ ନିଜ କବଜାରେ ରଖି ଉତ୍ତମ ବ୍ୟବହାର କରିବା ଉଚିତ୍ ।
  • କୋଲ୍‌କାତାରେ ଅନୁଷ୍ଠିତ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚ୍‌ର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଖେଳ ସମୟରେ ଅନୀଲ କୁମ୍ବଲେ ଆହତ ହୋଇ ମଧ୍ୟ ଖେଳିଥିଲେ ଏବଂ ଜିଣିଥିଲେ। କିଭଳି ଭାବେ ଅସୁବିଧାର ମୁକାବିଲା କରାଯାଇ ପାରିବ ତାହା ଆମ ଉପରେ ନିର୍ଭର କରେ।
  • କିଛି ଶିକ୍ଷା କରିବା କିଂବା କିଛି କରିବାକୁ ସାମଗ୍ରିକ ଶିକ୍ଷା ଆମକୁ ସୁଯୋଗ ଦିଏ । ଯଦି ଆମେ ଅନ୍ୟ କୌଣସି ବାହ୍ୟ-ପାଠ୍ୟକ୍ରମ କାର୍ଯ୍ୟକଳାପ କରିବା ନାହିଁ, ତେବେ ରୋବଟ୍‌ ପାଲଟି ଯିବା ।
  • ଭଲ ଲାଗୁଥିବା ବେଳେ ପଢ଼ାପଢ଼ି କର ବୋଲି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ କହିଛନ୍ତି । ମୋର ବିଶ୍ୱାସ ଅଧ୍ୟୟନ ପାଇଁ ସକାଳ ଅତ୍ୟନ୍ତ ଭଲ ସମୟ। ସକାଳେ ମନ ଶାନ୍ତ ଥିବାରୁ, ପଢ଼ିବା ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କୁହାଯାଏ। କିନ୍ତୁ ମୋ ମତରେ, ତୁମକୁ ଯେତେବେଳେ ଭଲ ଲାଗୁଛି, ସେତେବେଳେ ପଢ଼ ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପଚାରିଥିଲେ,  ଆଉ ତାହାର ଉତର ମଧ୍ୟ  ଦେଇଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ଦିବ୍ୟାଙ୍ଗ ଛାତ୍ରଙ୍କୁ ମଧ୍ୟ ପ୍ରଶ୍ନ ପଚାରିବାକୁ ସୁଯୋଗ ମିଳିଥିଲା । ଗତ ବର୍ଷ ତୁଳନାରେ ଚଳିତ ଅଧିକ ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ । ଗତବର୍ଷ ୧୫ ଜଣ ଛାତ୍ର ସିଧା ମୋଦିଙ୍କ ପ୍ରଶ୍ନ କରିଥିବା ବେଳେ ଚଳିତ ବର୍ଷ ୬୦ ଜଣ ଛାତ୍ର ପ୍ରଶ୍ନ କରିଛନ୍ତି । ଏହାଛଡା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଉଭୟ ଗ୍ରାମାଂଚଳ ଓ ସହରାଂଚଳରୁ ସମାନ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe