ଧୀରେ ଧୀରେ ସଫଳ ହେଉଛି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରୀ : ଓଡିଶା ଫେରିଲେ ୪୯ ଶିଶୁ

39

କନକ ବ୍ୟୁରୋ : ସଫଳ ହେଉଛି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରୀ । ଓଡିଶା ଫେରିଲେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହୋଇଥିବା ୪୯ ଶିଶୁ । କମିସନରେଟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଉଦ୍ଧାର ଶିଶୁଙ୍କୁ ସ୍ୱାଗତ କରିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜ୍ୟରେ ବା ରାଜ୍ୟ ବାହାରେ ହଜିଯାଇଥିବା ଶିଶୁ ମାନଙ୍କୁ ଖୋଜି ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି ପରୀ । ଓଡିଶା ପୋଲିସ ଓ ମହିଳା ଶିଶୁବିକାଶ ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟ ଓ ରାଜ୍ୟ ବାହାରେ ଚାଲିଛି ।

ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୫ ମଧ୍ୟରେ କେବଳ ରାଜ୍ୟ ମଧ୍ୟରୁ ହଜି ଯାଇଥିବା ୨ ହଜାର ୧୮୯ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେହିପରି ସେପ୍ଟେମ୍ବର ୧୬ ରୁ ୨୬ତାରିଖ ମଧ୍ୟରେ ରାଜ୍ୟ ବାହାରକୁ ଯାଇଥିବା ୮ଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ଆନ୍ଧ୍ରପ୍ରଦେଶରୁ ୪୯ ଜଣ ଶିଶୁଙ୍କୁ ଉଦ୍ଧାର କରି ଓଡିଶା ଆଣିଛନ୍ତି । ଏହି କାର୍ଯ୍ୟକ୍ରମରେ ୨ ହଜାର ୨୮୧ ଜଣ ଶିଶୁଙ୍କୁ ଉଦ୍ଧାର କରି ତାଙ୍କୁ ଥଇଥାନ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ଶିଶୁଙ୍କ ମଧ୍ୟରୁ ୧ ହଜାର ୮୮୧ ଜଣ ପୁଅ ଥିବା ବେଳେ ୪୦୦ ଜଣ ଝିଅ ଅଛନ୍ତି ।