ସଙ୍କଟରେ ଖୋର୍ଦ୍ଧା ଧଳାପଥରର ପର୍ଦ୍ଦାକଳା : ପ୍ରୋତ୍ସାହନ ଅଭାବରୁ ହଜି ଯାଉଛି ପରଦା ବୁଣାକାରଙ୍କ କଳାକୃତ, କୌଳିକ ବୃତିରୁ ମୁହଁ ଫେରାଇ ନେଉଛନ୍ତି ଯୁବପୀଢି

130

କନକ ବ୍ୟୁରୋ : ପରଦାରେ ତାଜମହଲ… ପରଦାରେ ଭାରତ ମାନଚିତ୍ର… । ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଅଶୋକ ଚକ୍ର ଭଳି ଅନେକ କାରୁକାର୍ଯ୍ୟ ଦେଖି ପାରିବେ ଏହି ପର୍ଦ୍ଦାରେ । ଆଖିକୁ ଦେଖିବାକୁ ଯେତିକି ସୁନ୍ଦର, ଏହି ସୁନ୍ଦରତା ପଛରେ ଲୁଚି ରହିଛି, ସେତିକି ପରଶ୍ରମ ଆଉ କାରିଗରଙ୍କ ଦୁଃଖ ।

ପରଦା ଉପରେ ସୁନ୍ଦର କାରୁକାର୍ଯ୍ୟକୁ ପର୍ଦ୍ଦାକଳା ବୋଲି କୁହାଯାଏ । ଆଜି କାଲି ନୁହେଁ ୭୫ ବର୍ଷ ତଳୁ ଆବିଷ୍କୃତ ହୋଇଛି ଏହି ପୂର୍ଣ୍ଣପର୍ଦ୍ଦା କଳା । ଏହି କଳାକୁ ସେହି ସମୟରେ ଜିଆଇ ଟ୍ୟାଗ ମିଳିଥିଲା । କୃତ୍ରିମ ଉପାୟରେ ଗଛର ପତ୍ର-ଛେଲିକୁ ବ୍ୟବହାର କରି ସୁତାଦେହରେ ରଙ୍ଗ ଦେଇ ତନ୍ତ ମାଧ୍ୟମରେ କପଡା ଉପରେ ଏହି ପର୍ଦ୍ଦାକଳାକୁ ସ୍ଥାନ ଦେଇଥିଲେ ସ୍ୱର୍ଗତ ଉଦୟନାଥ ସାହୁ । ଆଉ ଏହି ସୁନ୍ଦର ପର୍ଦ୍ଦାକଳା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲା ଖୋର୍ଦ୍ଧା ଜିଲ୍ଲାର ଧଳାପଥର ଗାଁ ।

ପର୍ଦ୍ଦାକଳା ପାଇଁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ମାଡ୍ରାସ, ଗୁଜୁରାଟ, ସୁରଟ, ମଥୁରାରୁ ସମ୍ମାନିତ ହୋଇଛି ଧଳାପଥର ଗାଁ । ପର୍ଦ୍ଦା ବୁଣି ବିକ୍ରୀ କରିବା ପାଇଁ ଧଳପଥରରେ ଗଢା ହୋଇଥିଲା ଧଳାପଥର ତନ୍ତୁ ବାୟ ସହଯୋଗ ସମିତି । ହେଲେ ଆଜି ଏହା ଲୋପ ପାଇବାକୁ ବସିଛି । କାରିଗରଙ୍କ କହିବା ଅନୁସାରେ ଏହି କଳା ପ୍ରତି ସରକାର ଅଣଦେଖା କରୁଛନ୍ତି । ତେଣୁ ଧିରେ ଧିରେ ଏହା ହଜିଯିବାକୁ ବସିଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯୁବ କାରିଗରଙ୍କୁ ପ୍ରୋତ୍ସାହନ ଦେଲେ ଏହି କଳା ବଂଚି ପାରିବ ।

ପର୍ଦ୍ଦା-କଳା ପ୍ରସ୍ତୁତି ବହୁ କଷ୍ଟ ଦାୟକ । ସୂତାକୁ ରଙ୍ଗ ଦେଇ ଖରାରେ ସୁଖାଇଥାନ୍ତି ବୁଣାକାର । ଅରଟରେ ବବିନି ଓ ନଳୀକୁ ଗୁଡାଇ ଟାଣି ବିମ୍ କରି ତନ୍ତରେ ଲଗାଯାଏ । ଏହାପରେ କପଡା ଉପରେ ପର୍ଦ୍ଦାକଳା ବୁଣାଯାଏ । ପର୍ଦ୍ଦାରେ କେଉଁ ଚିତ୍ର ଅଙ୍କା ଯିବ ସେଥିପାଇଁ ଗ୍ରାଫ୍ ପ୍ରସ୍ତୁତ କରାଯାଏ । ପରେ ସେହି ଛବିକୁ ହାତରେ ସୂତାଦେହରେ ପକାଇ ପର୍ଦ୍ଦା ପ୍ରସ୍ତୁତ କରାଯାଏ ।