ପଲିଥିନ ବ୍ୟାନ ପରେ ବଜାରକୁ ଫେରିଲା କାଗଜ ଠୁଙ୍ଗା : ଜଗତସିଂହପୁରରେ ଠୁଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି ମହିଳା

326

କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ସାରା ଦେଶକୁ ପଲିଥିନ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟରେ ମଧ୍ୟ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୦୨୦ ମସିହା ସୁଦ୍ଧା ସହରାଂଚଳ ଭଳି ଗ୍ରାମାଂଚଳରେ ମଧ୍ୟ ପଲିଥିନ ବାବହାର ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ପଲିଥିନ୍ ବ୍ୟାନ ହେବା ପରେ ବଜାରକୁ ଫେରିଛି କପଡା ବ୍ୟାଗ୍ ଓ କାଗଜ ଠୁଙ୍ଗା । ଆଉ ଗ୍ରାହକଙ୍କ ଚାହିଦା ମେଂଟଇବା ପାଇଁ ଗ୍ରାମାଂଚଳର ମହିଳାମାନେ କାଗଜ ଠୁଙ୍ଗା ତିଆରି କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ।

ଜଗତସିଂହପୁର ବ୍ଲକ ଅନ୍ତର୍ଗତ କାଠୁଆ ପାଟଣା ଗାଁରେ ମହିଳାମାନେ ଠୁଙ୍ଗା ତିଆରି କରି ଆତ୍ମନିର୍ଭଶୀଳ ହୋଇପାରିଛନ୍ତି । ମହିଳାମାନେ ନିଜ ଘର କାମ କରିବା ପରେ ବଳକା ସମୟରେ କାଗଜ ଠୁଙ୍ଗା ତିଆରି କରୁଛନ୍ତି । ଏହି ଠୁଙ୍ଗା ତିଆରିରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି । ପୂର୍ବରୁ ବି କାଠୁଆ ପାଟଣା ଗାଁର ମହିଳାମାନେ କାଗଜ ଠୁଙ୍ଗା ତିଆରି କରୁଥିଲେ, ହେଲେ ବର୍ତ୍ତମାନ ପଲିଥିନ ବ୍ୟାନ୍ ହେବା ପରେ ଠୁଙ୍ଗାର ଚାହିଦା ବଢିଛି ।

ପେପର କିଲୋକୁ ୧୨ରୁ ୧୫ ଟଙ୍କାରେ କିଣିଥାନ୍ତି କାଠୁଆ ପାଟଣା ଗାଁର ମହିଳା । ୧ କିଲୋ ପେପରେ ୨୦୦ରୁ ୨୫୦ ଠୁଙ୍ଗା ତିଆରି ହୋଇଥାଏ । ୨୫୦ ଗ୍ରାମରୁ ଆରମ୍ଭ କରି ୨ କିଲୋଗ୍ରାମ ସାମଗ୍ରୀ ଧରିବା ଭଳି ଠୁଙ୍ଗା ତିଆରି କରାଯାଉଛି । ୧୦୦ ଠୁଙ୍ଗାକୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରାଯାଏ । ତେବେ ସରକାର ଏହି ମହିଳାମାନଙ୍କୁ ସ୍ୱଂୟ ସହାୟିକା ଗୋଷ୍ଠୀ ଜରିଆରେ ଋଣ ଯୋଗାଇ ଦେଲେ ଏମାନେ ନିଜେ ଆତ୍ମନିର୍ଭର ଶୀଳ ହେବା ସହ ଅନ୍ୟ ମହିଳାମାନେ ମଧ୍ୟ ଦୁଇ ପଇସା ରୋଜଗାର କରିପାରନ୍ତେ ।

ଜଗତସିଂହପୁର ସହରକୁ ପଲିଥିନ  ମୁକ୍ତ କରିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯାଇଛି । ପ୍ରତି ଦୋକାନମାନଙ୍କୁ ଲିଫ୍ ଲେଟ୍ ବଂଟନ କରାଯିବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି । ବ୍ୟବସାୟୀ ମାନେ ମଧ୍ୟ ଏହି ନିୟମକୁ ମାନିବା ସହିତ କାଗଜ ଠୁଙ୍ଗା ବ୍ୟବହାର  କରୁଛନ୍ତି ।