କଳାକାରଙ୍କୁ ମିଳୁନି କଳାକାର ଭତ୍ତା :  ପାଲା ପାଇଁ ସାରା ଜୀବନ ସାଧନା କରିଥିବା ଅଶ୍ୱିନୀ ନନ୍ଦ ଏବେ ଅଲୋଡ଼ା, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

157

କନକ ବ୍ୟୁରୋ : ଦିନ ଥିଲା ଗାୟକ ଅଶ୍ୱିନୀ କୁମାର ନନ୍ଦଙ୍କ ପାଲା ଦେଖିବା ପାଇଁ ମାଇଲ୍ ମାଇଲ୍  ଦୂରରୁ ଲୋକେ ଚାଲି ଆସୁଥିଲେ । ତାଙ୍କ ଗାଇବାର ଶୈଳୀ ଥିଲା ଖୁବ୍ ଆକର୍ଷଣୀୟ ।  ଗାୟକ ଅଶ୍ୱିନୀ ଯେତେବେଳେ ରାମାୟଣର କରୁଣ ଓ ଭକ୍ତି ରସ ପରିବେଷଣ କରୁଥିଲେ ଛୋଟରୁ ବଡ ସମସ୍ତେ ମନ୍ତ୍ରମୁଗ୍ଧ ହୋଇପଡୁଥିଲେ । ପାଲା ପାଇଁ ସାରା ଜୀବନ ସାଧନା କରିଥିବା ଶ୍ରୀ ନନ୍ଦ ସତେ ଯେମିତି ଏବେ ଅଲୋଡା ହୋଇପଡିଛନ୍ତି । ରୋଗ, ଅଭାବ ମଧ୍ୟରେ ସେ କାଳ କାଟୁଥିବାବେଳେ ସରକାରଙ୍କଠାରୁ ଏ ପର୍ଯ୍ୟନ୍ତ ତାଙ୍କୁ କଳାକାର ଭତ୍ତାଟିଏ ମିଳିପାରିଲା ନାହିଁ ।

ଗାୟକ ଅଶ୍ୱିନୀ ନନ୍ଦଙ୍କ ଘର ଆଠମଲ୍ଲିକ ବ୍ଲକ୍ ତିତିଗାଁରେ । କିଶୋର ଅବସ୍ଥାରୁ ସେ ପାଲା ଗାଇବା ଆରମ୍ଭ କରିଥିଲେ । ପୁରାଣ ଓ କାବ୍ୟ ସାହିତ୍ୟ ଖୁବ୍ ସୁନ୍ଦର ଭାବେ ପରିବେଷଣ କରୁଥିଲେ । ଗାୟକ ମହଲରେ ତାଙ୍କର ଢେର୍ ସୁଖ୍ୟାତି ଥିଲା । ଜଣେ ଦକ୍ଷ ଗାୟକ ଭାବେ ସେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଥିଲେ । ୨୦୧୫ ମସିହାରେ ଆଠମଲ୍ଲିକ ଲୋକ ମହୋତ୍ସବ ‘ଝରଝରୀ’ରେ ସେ ପୁରସ୍କାର ଲାଭ କରିଥିବାବେଳେ ବରଗଡରେ ୫୧ତମ ଧନୁଯାତ୍ରା ମହୋତ୍ସବରେ ପୁରସ୍କୃତ ହୋଇଛନ୍ତି । ସେହିପରି ୬ଷ୍ଠ ଓ ୧୧ଶ ଅନୁଗୁଳ ଜିଲ୍ଲା ପାଲା ଗାୟକ ସମ୍ମିଳନୀରେ ଖୁବ୍ ପ୍ରଶଂସିତ ହେବା ସହ ପୁରସ୍କାର ପାଇଛନ୍ତି ।

ପାଲା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଅଶ୍ୱିନୀ ଏବେ ଅସହାୟ । ଘରଡିହକୁ ଛାଡି ଦେଲେ ତାଙ୍କର ଜମିବାଡି କିଛି ନାହିଁ । ସରକାରଙ୍କ ପକ୍ଷରୁ ତାଙ୍କୁ ରାସନ କାର୍ଡଟିଏ ମିଳିଛି । ସେଥିରେ ଚାଉଳ ଗଣ୍ଡାଏ ସିନା ମିଳୁଛି, ଘରର ଅଭାବ ମେଣ୍ଟୁନାହିଁ । ତାଙ୍କର ଦୁଇଟି ପୁଅ । ଜଣେ ପୁଅ ପୋଲିଓ ରୋଗାଗ୍ରସ୍ତ । ସେ କିଛିଦିନ ହେଲା ବନ ବିଭାଗରେ ସ୍ୱଳ୍ପ ବେତନରେ ଅବସ୍ଥାପିତ । ଅନ୍ୟ ପୁଅ ଜଣକ ଓଡିଶୀ ନୃତ୍ୟ ଶିକ୍ଷା କରୁଛନ୍ତି ।

ଏବେ ଗାୟକ ଅଶ୍ୱିନୀଙ୍କ ବୟସ ୬୫ ବର୍ଷରୁ ଅଧିକ । କିଛିଦିନ ହେଲା ସେ ହୃଦରୋଗରେ ପୀଡିତ । ଚିକିତ୍ସା ପାଇଁ ଆର୍ଥିକ ସମ୍ବଳ ନାହିଁ । ଅଶ୍ୱିନୀଙ୍କ କହିବା ଅନୁଯାୟୀ, କଳାକାର ଭତ୍ତା ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ଏ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିଲା ନାହିଁ । ତାଙ୍କୁ ତୁରନ୍ତ କଳାକାର ଭତ୍ତା ମିଳିଲା ନାହିଁ । ତାଙ୍କୁ ତୁରନ୍ତ କଳାକାର ଭତ୍ତା ଯୋଗାଇ ଦିଆଯିବାକୁ ଜିଲ୍ଲାପରିଷଦ ସଭ୍ୟଙ୍କ କର୍ଣ୍ଣ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ଜଣାପଡିଛି ।