ପାକିସ୍ତାନକୁ ଭାରତର କଡ଼ା ଜବାବ ! ଶକ୍ତିଶାଳୀ ତୋପ ଲଗାଇ ବିଏସଏଫ୍ ଉଡାଇଦେଲା ପାକିସ୍ତାନୀ ବଙ୍କର, ଆକ୍ରମଣକୁ ସାମନା କରିନପାରି ଫାୟାରିଂ ବନ୍ଦ କରିବାକୁ ଗୁହାରି କଲା ପାକିସ୍ତାନ

42

କନକ ବ୍ୟୁରୋ : ଜଣେ ଯବାନ ଓ ୫ ଜଣ ଭାରତୀୟଙ୍କ ହତ୍ୟାର ପ୍ରତିଶୋଧ ନେଲା ବିଏସ୍ଏଫ । ପାକିସ୍ତାନକୁ ତାରି ଭାଷାରେ ଜବାବ୍ ଦେଇଛି ଭାରତ । ଶକ୍ତିଶାଳୀ ତୋପ ସହ ପାକିସ୍ତାନ ବଙ୍କର ଉପରେ ଘନ ଘନ ଆକ୍ରମଣ କରିଛି ଭାରତର ସୀମା ସୁରକ୍ଷା ବଳ । ଯେଉଁଥିରେ ପାକିସ୍ତାନର ୫ଟି ବଙ୍କର ଧ୍ୱଂସ ହୋଇଯାଇଛି । ବିଏସଏଫର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ପାକିସ୍ତାନୀ ରେଂଜର, ଆକ୍ରମଣ ବନ୍ଦ କରିବାକୁ ଅନୁରୋଧ କରିଥିଲା । ଆକ୍ରମଣ ସମୟର ୧୯ ମିନିଟର ଦୃଶ୍ୟକୁ ଥର୍ମାଲ ଇମେଜ୍ ଜରିଆରେ ରେକର୍ଡ କରାଯାଇଥିଲା । ଯାହାକୁ ଆଜି ଜାରି କରାଯାଇଛି ।

ସୀମା ସୁରକ୍ଷା ବଳ ଜାରି କରିଥିବା ୧୯ ସେକେଣ୍ଡର ଭିଡ଼ିଓ, ଯେଉଁଠି ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ଜବାବ୍ ଦେଉଛି ବର୍ଡର ସିକ୍ୟୁରିଟି ଫୋର୍ସ । ଥର୍ମାଲ ଇମେଜ୍ ଜରିଆରେ ରେକର୍ଡ ହୋଇଥିବା ଭିଡ଼ିଓ, ପାକିସ୍ତାନୀ ସୀମାରେ ବଙ୍କର ଧ୍ୱଂସ ହେଉଥିବାର ଲାଇଭ୍ ଦୃଶ୍ୟକୁ ସାମ୍ନାକୁ ଆଣିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଶ୍ମୀର ଗସ୍ତକୁ ବିରୋଧ କରି ପାକିସ୍ତାନୀ ସେନାର ଫାୟାରିଂରେ ଗତ କିଛି ଦିନ ଭିତରେ ୨ଜଣ ଯବାନଙ୍କ ସମେତ ୫ଜଣ ସାଧାରକ ନାଗରିକ ପ୍ରାଣ ହରାଇଛନ୍ତି । ଆଉ ଏହାର ଭୟଙ୍କର ଜବାବ ଦେଇଛି ପଶ୍ଚିମ କାଶ୍ମୀରରେ ମୁତୟନ ହୋଇଥିବା ବିଏସଏଫର ସ୍ୱତନ୍ତ୍ର ୟୁନିଟ୍ ।

ପାକିସ୍ତାନୀଙ୍କୁ ଜବାବ୍ ଦେବା ପାଇଁ ଭାରତୀୟ ସୀମାରୁ ଭାରି ତୋପ ବ୍ୟବହାର କରିଥିଲା ସୀମା ସୁରକ୍ଷା ବଳ । ଏବଂ ଟାର୍ଗେଟରେ ଥିଲା ସୀମା ନିକଟରେ ମାଟି ତଳେ ରହିଥିବା ପାକିସ୍ତାନୀ ବଙ୍କର । ବଙ୍କର ଉପରେ ଘନ ଘନ ଆକ୍ରମଣ ଚାଲିଥିବା ବେଳେ ଥର୍ମାଲ ଇମେଜରୀ ମାଧ୍ୟମରେ ରେକର୍ଡ କରା ଯାଉଥିଲା । ୧୯ ତାରିଖରେ ଏହାକୁ ରେକର୍ଡ କରାଯାଇ ୨୦ ତାରିଖରେ ଭିଡ଼ିଓକୁ ଜାରିକରାଯାଇଛି । ମାଟି ତଳେ ତିଆରି କରାଯାଇଥିବା ବଙ୍କରରେ ରହି ଭାରତୀୟ ସୀମା ଆଡ଼କୁ ଫାୟରିଂ କରୁଥିବା ପାକିସ୍ତାନୀ ଯବାନଙ୍କୁ ଟାର୍ଗେଟ୍ କରିବା ପାଇଁ ବିଏସଏଫ୍ ଭାରି ତୋପର ବ୍ୟବହାର କରିଥିଲା । କାରଣ ସୀମା ନିକଟରେ ଥିବା ପାକିସ୍ତାନୀ ବଙ୍କରଗୁଡ଼ିକ ବେଶ ଶକ୍ତିଶାଳୀ ଥିଲା । ତେବେ ଏହାକୁ ଫଟାଇ ଧ୍ୱଂସ କରିବାରେ ସଫଳ ହୋଇଛି ବିଏସଏଫ୍ ।

ପବିତ୍ର ରମଜାନ୍ ଅବସରରେ ପୂର୍ବରୁ କେନ୍ଦ୍ର ସରକାର ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଥିଲେ । ତେବେ ଏହାର ଫାଇଦା ଉଠାଇ ସୀମା ନିକଟବର୍ତୀ ଆରଏସ୍ ପୁରା ଓ ଆରନିୟାଁ ସେକ୍ଟରରେ ଗ୍ରାମ ବାସୀଙ୍କ ଉପରେ ମୋର୍ଟାର୍ ମାଡ଼ କରିଥିଲା ପାକିସ୍ତାନ । ତେବେ ଏହାର ଜବାବ ଏତେ ଭୟଙ୍କର ଥିଲା ଯେ କାର୍ଯ୍ୟାନୁଷ୍ଠାନ ରୋକିବାକୁ ବିଏସଏଫ୍ ଆଗରେ ପାକିସ୍ତାନ ସେନା ଗୁହାରି କରିଥିବା ବିଏସଏଫର ଜନୈକ ମୁଖପାତ୍ର କହିଛନ୍ତି ।