ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ପାକିସ୍ତାନୀ : ଖାଦ୍ୟ ଅଭାବ ଯୋଗୁଁ ବାଧାପ୍ରାପ୍ତ ହେଉଛି ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ

426

କନକ ବ୍ୟୁରୋ : କାଙ୍ଗାଳା ପାକିସ୍ତାନ । ଗୋଟିଏ ପଟେ ଦେବାଳିଆ ହେବା ଉପରେ ଥିବା ପାକିସ୍ତାନ ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଇବାରେ ଅସମର୍ଥ । ଦାରିଦ୍ର‌୍ୟତା ଯୋଗୁଁ ପାକିସ୍ତାନର ପ୍ରାୟ ଅର୍ଦ୍ଧେକ ପରିବାର ଆବଶ୍ୟକ ପୋଷକତତ୍ତ୍ୱ ପାଇ ପାରୁ ନାହାନ୍ତି । ଫଳରେ ବହୁ ସଂଖ୍ୟକ ପିଲା କୁପୋଷଣର ଶିକାର ହେଉଛନ୍ତି ଓ ସେମାନଙ୍କ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।

୨୦୧୮ ମସିହା ଜାତୀୟ ପୋଷକତତ୍ତ୍ୱ ସର୍ଭେ ଅନୁସାରେ, ଦ୍ରାରିଦ୍ର‌୍ୟତାର ଶିକାର ଯୋଗୁଁ ପାକିସ୍ତାନର ୫୦% ପରିବାର ଦୁଇ ଓଳି ଖାଇବାକୁ ପାଉ ନାହାନ୍ତି । ଏଥିଯୋଗୁଁ ପାକିସ୍ତାନରେ ପ୍ରାୟ ୪୦. ୨%  ପିଲା କୁପୋଷଣର ଶିକାର ହୋଇଛନ୍ତି । ଖାଦ୍ୟ ଅଭାବ ଯୋଗୁଁ ସେମାନଙ୍କର ମାନସିକ ଓ ଶାରୀରିକ ବିକାଶ ଘଟି ପାରୁ ନାହିଁ । ସର୍ଭେରୁ ଆହୁରି ଜଣାପଡ଼ିଛି, ୩୬. ୯% ପାକିସ୍ତାନୀ ପରିବାର ଖାଦ୍ୟ ସୁରକ୍ଷାରୁ ବଞ୍ଚିତ। ପର୍ଯ୍ୟାପ୍ତ ପରିମାଣର ପୌଷ୍ଟିକ ଆହାର ମିଳିପାରୁନି ।

ସର୍ଭେ ସମୟରେ ୪୮. ୪ ପ୍ରତିଶତ ମହିଳା ପିଲାଙ୍କୁ ସ୍ତନ୍ୟପାନ କରାନ୍ତି । ପ୍ରତି ୧୦ଜଣଙ୍କ ମଧ୍ୟରେ ୪ ଜଣ ପିଲା କୁପୋଷଣର ଶିକାର ହେବା ସହ ଶିକ୍ଷାରୁ ବଂଚିତ ହେଉଛି ।  ପ୍ରାୟ ୧୧୫, ୬୦୦ ପରିବାରକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ପରିବାର ଗୁଡ଼ିକରେ ଥିଲେ ୧୪୫, ୩୨୫ ମହିଳା, ପାଞ୍ଚ ବର୍ଷରୁ କମ୍ ବୟସ୍କ ୭୬, ୭୪୨ ପିଲା ଏବଂ ୧୦ ବର୍ଷରୁ ୧୯ ବର୍ଷ ମଧ୍ୟରେ ୧୪୫, ୮୪୭ ନାବାଳକ ଥିଲେ ।