ଏଲଓସିରେ ଉତ୍ତେଜନା : ସୀମାରେ ସେନା ଠୁଳ କରୁଛି ପାକିସ୍ତାନ, ବଡ ଧରଣର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ 

1,032

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏପରି ସମୟରେ ସୀମାରେ ଅଧିକ ସେନା ମୁତୟନ କରି ଉତ୍ତେଜନାକୁ ଆହୁରି ବଢାଇ ଦେଇଛି ପାକିସ୍ତାନ । ଏହାକୁ ଆଖିରେ ରଖି ସ୍ୱତନ୍ତ୍ର ରଣନୀତି ଆପଣେଇଛି ଭାରତୀୟ ସେନା । ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ବାଗ ଓ କୋଟଲି ସେକ୍ଟରରେ ଅତିରିକ୍ତ ୨ ହଜାର ସୈନ ମୁତୟନ କରିଛି ପାକ୍ ସେନା ।  ଜୈସ ଏ ମହମ୍ମଦ ଓ ଲସ୍କର ଏ ତୋଇବାର ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଏହି ସେନା ମୁତୟନ ହୋଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିିଛି । 

 

ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏଭଳି କାର୍ଯ୍ୟକଳାପ ଦେଖି ଭାରତୀୟ ସେନା ଏବେ ସର୍ବାଧିକ ଆଲର୍ଟରେ ରହିଛି । ଆତଙ୍କବାଦୀ ଅନୁପ୍ରବେଶ ସମ୍ଭାବନା ଥିବା ଅଂଚଳରେ ସୁରକ୍ଷାକୁ କଡାକଡି କରାଯାଇଛି । ଭାରତୀୟ ପୋଷ୍ଟ ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ପାକ ସେନାଙ୍କ ଠୁଳ ହେବା ପ୍ରମାଣ କରୁଛି ବଡ ଧରଣର ଅନୁପ୍ରବେଶ ପାଇଁ ଯୋଜନା କରୁଛି ପାକିସ୍ତାନ । ଭାରତୀୟ ସେନା ପୋଷ୍ଟ ଉପରେ ଗୁଳିମାଡ କରି ଅନୁପ୍ରବେଶ ପାଇଁ ଆତଙ୍କବାଦୀଙ୍କ ରାସ୍ତା ସଫା କରିବାକୁ ମସୁଧା କରୁଛି ପାକିସ୍ତାନ ।

ଅନୁପ୍ରବେଶକାରୀଙ୍କ ପାଇଁ  ପାକ ସୁରକ୍ଷା ବଳୟ ତିଆରି କରୁଥିବାରୁ ବଡ ମୁକାବିଲା ପାଇଁ ଭାରତ ମଧ୍ୟ ତୟାର ହୋଇଛି । ସୀମାବର୍ତ୍ତୀ ଗ୍ରାମଗୁଡିକରେ ଅଧିକ ବଙ୍କର ନିର୍ମାଣ କରାଯାଇଛି ଓ ପାକ ଟାର୍ଗେଟର ଅତି ନିକଟରେ ଥିବା ଗ୍ରାମଗୁଡିକର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି ।