ଭାରତର ଚାପ ଆଗରେ ନଇଁଲା ପାକିସ୍ତାନ : ଗିରଫ ଭାରତୀୟ ଦୂତାବାସର ଦୁଇ ଅଧିକାରୀଙ୍କୁ ଛାଡିଲା ଇସାଲାମାବାଦ ପୁଲିସ, ଆଇଏସଆଇ ଇଙ୍ଗିତରେ ଗିରଫ କରିଥିବା ଚର୍ଚ୍ଚା

333

କନକ ବ୍ୟୁରୋ : ଭାରତର କଡା ଚେତାବନୀ ପରେ ଗିରଫ ଦୁଇ ଭାରତୀୟ ଅଧିକାରୀଙ୍କୁ ଛାଡିଦେଲା ପାକିସ୍ତାନ । ମିଳିଥିବା ସୂଚନା ଅନୁସାରେ ଦୁଇ ଅଧିକାରୀ ସୁରକ୍ଷିତ ଭାବେ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସକୁ ଫେରି ଆସିଛନ୍ତି । ସୋମବାର ସକାଳେ ଦୂତାବାସର ଦୁଇ ଜଣ ଅଧିକାରୀ ଗାଏବ ହୋଇଯାଇଥିବା ଖବର ଆସିଥିଲା । ଏହାପରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ଭାରତୀୟ ଅଧିକାରୀଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଥିଲା ।

କିଛି ସମୟ ପରେ ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା ଦୁଇ ଭାରତୀୟ ଅଧିକାରୀଙ୍କୁ ସଡକ ଦୁର୍ଘଟଣା ମାମଲାରେ ଇସଲାମାବାଦ ପୁଲିସ ଗିରଫ କରିଛି । ଜଣେ ପାକ ନାଗରିକଙ୍କୁ ଭାରତୀୟ ଅଧିକାରୀଙ୍କ ବିଏମଡବ୍ଲୁ ଗାଡି ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଭାରତୀୟ ଅଧିରକାରୀ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସ ଜିମାରେ ଦେଇଥିବା ଖବର ପ୍ରସାର କରିଥିଲା ପାକ ଗଣମାଧ୍ୟମ । ତୁରନ୍ତ ଭାରତୀୟ ବିଦେଶ ମନ୍ତ୍ରାଳୟ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ତଲବ କରି ଦୁଇ ଅଧିକାରୀଙ୍କ ଗିରଫ ଘଟଣାକୁ ତୀବ୍ର ବିରୋଧ କରିଥିଲା ।

ଶେଷରେ ଭାରତରେ ଚାପ ଆଗରେ ମୁଣ୍ଡ ନୁଆଁଇ ପାକିସ୍ତାନ ଗିରଫ କରିଥିବା ଦୁଇ ଅଧିକାରୀଙ୍କୁ ଛାଡି ଦେଇଛି । ତେବେ ଭାରତୀୟ ଅଧିକାରୀଙ୍କୁ ଗିରଫ କରି ଇସଲାମାବାଦ ପୁଲିସ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରିଛି । ଡିପ୍ଲୋମେଟ ଆଇନ ଅନୁସାରେ କୌଣସି ଦେଶର ନାଗରିକଙ୍କୁ ଗିରଫ କରିବା ପୂର୍ବରୁ ସେହି ଦେଶର ଦୂତାବାସକୁ ଅବଗତ କରାଇବା ଜରୁରୀ । ତେଣୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ନିର୍ଦ୍ଦେଶରେ ଇସାଲାମାବାଦ ପୁଲିସ ଅଧିକାରୀଙ୍କୁ ଅଟକ ରଖିଥିବା ଚର୍ଚ୍ଚା ହେଉଛି । ଆଉ ଏହା ପଛର କାରଣ ବି ବେଶ ସ୍ପଷ୍ଟ ।