ମୋଦିଙ୍କୁ ପାକିସ୍ତାନୀ ଛାତ୍ରୀଙ୍କ ଅଭିନନ୍ଦନ ! ଉଭୟ ଦେଶ ମଧ୍ୟରେ ଶାନ୍ତି ପେରାଇ ଆଣିବାକୁ ନିବେଦନ

42

ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନୀ ଛାତ୍ରୀଙ୍କ ଅଭିନନ୍ଦନ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାକିସ୍ତାନରୁ ମିଳିଛି ଶୁଭେଚ୍ଛା ପତ୍ର । ଆଉ ମୋଦିଙ୍କୁ ଅଭନନ୍ଦନ ଜଣାଇ ଏହି ପତ୍ର ଲେଖିଛନ୍ତି ପାକିସ୍ତାନର ଜଣେ ସ୍କୁଲ ଛାତ୍ରୀ । ପଂଚମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ ନାଁ ହେଉଛି ଅକିଦତ୍ ନଓି୍ୱଦ୍ ।

ଉତ୍ତରପ୍ରଦେଶ ବିଜୟ ପାଇଁ ଅଭିନନ୍ଦନ ସହ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଫେରାଇବା ପାଇଁ ପ୍ରୟାସ କରିବାକୁ ମୋଦିଙ୍କୁ ନିବେଦନ କରିଛନ୍ତି ଏହି ୧୧ ବର୍ଷୀୟ ଛାତ୍ରୀ ଜଣକ । ପତ୍ର ଶେଷରେ କିଛି ହୃଦୟସ୍ପର୍ଶୀ କଥା ଲେଖିଛନ୍ତି ଏହି କୁନି ବାଳିକା ଜଣକ । ସେ ଲେଖିଛନ୍ତି ଯେ, “ଆଦରଣୀୟ ମୋଦିଜୀ, ହୃଦୟ ଜିତିବା ଏକ ଚମତ୍କାର କାମ ।

ଆପଣ ବୋଧହୁଏ ଭାରତୀୟଙ୍କ ହୃଦୟ ଜିତି ସାରିଛନ୍ତି, ଯେଉଁଥିପାଇଁ ଆପଣ ଉତ୍ତରପ୍ରଦେଶରେ ନିର୍ବାଚନ ଜିତି ପାରିଛନ୍ତି । କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଯଦି ଆପଣ ଅଧିକରୁ ଅଧିକ ଭାରତୀୟ ଆଉ ପାକିସ୍ତାନୀଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଉ ବନ୍ଧୁତ୍ୱ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ।

ଉଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କର ଆବଶ୍ୟକତା ରହିଛି । ଚାଲନ୍ତୁ, ଭାରତ ଆଉ ପାକିସ୍ତାନ ମଧ୍ୟରେ ଏକ ଶାନ୍ତିର ସେତୁ ନିର୍ମାଣ କରିବା । ଆମେ ଗୁଳି ବଦଳରେ ବହି କିଣିବାକୁ ନିଷ୍ପତି ନେବା । ଆମେ ବନ୍ଧୁକ କିଣିବାନି, ବରଂ ଗରିବଙ୍କ ପାଇଁ ଔଷଧ କିଣିବା ।”

ଆଉ ମୋଦିଙ୍କୁ ପାକିସ୍ତାନୀ ବାଳିକାଙ୍କ ଦ୍ୱାରା ଲେଖାଯାଇଥିବା ଏହି ଶାନ୍ତି ସନ୍ଦେଶ ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରୁଥିବା ପାକିସ୍ତାନୀ ସେନା ଆଉ ପାକ୍ ରାଜନେତାଙ୍କ କାନରେ ନିଜ ଦେଶର ଏହି କୁନି ଝିଅଟିର ହୃଦୟର କଥା ପହଂଚୁଛି ତ !