ନିୟନ୍ତ୍ରଣ ରେଖାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି ପାକିସ୍ତାନ : ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ସହିତ ନିଶାଦ୍ରବ୍ୟ କାରବାରକୁ ପ୍ରୋତ୍ସାହନ ଦେଉଛି ପଡ଼ୋଶୀ ଦେଶ

148

କନକ ବ୍ୟୁରୋ : ନିୟନ୍ତ୍ରଣ ସୀମାରେଖାରେ ପାକିସ୍ତାନ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ସହିତ ନିଶାଦ୍ରବ୍ୟ କାରବାରକୁ ପ୍ରୋତ୍ସାହନ ଦେଉଛି ବୋଲି ଭାରତୀୟ ସେନାର ଉତ୍ତର କମାଣ୍ଡ୍‌ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି, ପାକିସ୍ତାନ ନିୟନ୍ତ୍ରଣ ସୀମାରେଖାରେ ଯୁଦ୍ଧବିରତି ଉଲ୍ଲଙ୍ଘନ କରୁଛି । ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶକୁ ପ୍ରତ୍ସାହନ ଦେଉଛି । ନିଶାଦ୍ରବ୍ୟ କାରବାର ସହିତ ପାକିସ୍ତାନ ନିୟନ୍ତ୍ରଣ ସୀମାରେଖା ଅଂଚଳରେ ଜାଲ୍‌ ନୋଟ୍‌ ପ୍ରଚଳନ ମଧ୍ୟ କରୁଛି । ଭାରତ ସହ ଛାୟା ଯୁଦ୍ଧ ଜାରି ରଖିବାକୁ ଚାହୁଛି । ଏବେ ସୀମା ନିକଟତର ଅଂଚଳରେ ଆତଙ୍କବାଦୀ ନେଟ୍‌ୱର୍କ ଚାଲୁରହିଛି ଏବଂ ଏହା ଭାରତ ବିରୋଧରେ ବ୍ୟବହାର କରାଯାଉଛି । ତେବେ ପାକିସ୍ତାନ ଯେତେ ଉଦ୍ୟମ କଲେ ମଧ୍ୟ ଏଥିରେ ସଫଳ ହେବ ନାହିଁ । ପାକିସ୍ତାନର ଭାରତ ବିରୋଧୀ ଯୋଜନାକୁ ବିଫଳ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି ବୋଲି ସିଂହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଲେଫ୍ଟନାଣ୍ଟ ଜେନେରାଲ ଆହୁରି କହିଛନ୍ତି ଯେ ଭାରତ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ କୌଣସି ମତଭେଦ ସୃଷ୍ଟି ହେବ ନାହିଁ । ଦୁଇ ଦେଶ ମଧ୍ୟରେ ବିଶ୍ୱାସ ବଢାଇବାକୁ ଉଦ୍ୟମ କରାଯାଉଛି । କୌଣସି ପ୍ରକାରର ଅବ୍ୟବସ୍ଥା ବା ବିବାଦ ସୃଷ୍ଟି ହେଲେ ଏହାକୁ ପ୍ରତିହତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଯାହା ଠିକ୍‌ ସମୟରେ କାର୍ଯ୍ୟକ୍ଷମ ହେବ । ସେ କହିଛନ୍ତି ନିୟନ୍ତ୍ରଣରେଖା ଅଂଚଳରେ ଶାନ୍ତିପୂର୍ଣ ପରିସ୍ଥିତି ରହିଛି ଏବଂ ଚୀନ ସହ ଶାନ୍ତି ପ୍ରତିଷ୍ଠା କରିବାରେ ସେନା ସଫଳ ହୋଇଛି ।

ତେବେ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ସିଂହ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ସେନା ପକ୍ଷରୁ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନରେ ୮୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ୨୦୧୮ରେ ମୋଟ ୨୧୭ ଜଣ କଶ୍ମୀର ଯୁବକ ଆତଙ୍କବାଦୀ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୪୦ ଜଣ ଅସ୍ତ୍ର ଧରିଛନ୍ତି। ଅନେକ ଆତଙ୍କବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇଛି । ଜମ୍ମୁ ଅଂଚଳର ପିର୍‌ ପାଞ୍ଚଲ ଠାରେ ଆତଙ୍କବାଦୀ କାର‌୍ୟ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି କହିବା ସହ ସିଂହ ସୂଚନା ଦେଇଛନ୍ତି, ସେଠାରେ ବର୍ତ୍ତମାନ କୌଣସି ଆତଙ୍କବାଦୀ ନାହାନ୍ତି । ଆଗକୁ ମଧ୍ୟ ସେନା ପକ୍ଷରୁ ଏହି ଅଭିଯାନ ଜାରି ରହିବ । କୌଣସି ପରିସ୍ଥିତିରେ ଉକ୍ତ ଅଂଚଳଙ୍କୁ ଆତଙ୍କବାଦୀଙ୍କ ନିୟନ୍ତ୍ରଣକୁ ଯିବାକୁ ଦିଆଯିବ ନାହିଁ ବୋଲି ସିଂହ କହିଛନ୍ତି ।