କନକ ବ୍ୟୁରୋ : ଅସ୍ଥିର ପାକିସ୍ତାନ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ର ଉଛେଦ ହେବା ପରେ ପରେ ଭାରତ-ପାକ୍ ସୀମାରେ ପଡିଛି ଏହାର ପ୍ରଭାବ । ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସୀମା ଉପରେ ବୁଧବାର ରାତିରୁ ଗୁଳିଗୋଳା ମାଡ କରୁଛି ପାକିସ୍ତାନ । ଜାମ୍ମୁକାଶ୍ମୀରର ରାଜୌରୀ ଅଂଚଳରେ ପାକିସ୍ତାନ୍ ସେନା ମୋର୍ଟାର ମାଡ କରିଛି ।ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ପରେ ହଠାତ୍ ପାକିସ୍ତାନ ବିଳିବିଳେଇବା ଆରମ୍ଭ କରିଛି । ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଭାରତ- ପାକ୍ ସୀମାରେ । ରାଜୌରୀର ସୁନ୍ଦରବନ୍ ସେକ୍ଟରରେ ଏହି ଗୁଳିଗୋଳା ମାଡ ହୋଇଛି । ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଂଘନ ଆରମ୍ଭ ହେବା ପରେ ପରେ ଭାରତୀୟ ସେନା ଏହାର କଡା ଜବାବ ଦେଇଛି ।

Advertisment

ସେପଟେ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ନୀରବତାର ବାତାବରଣ । ଏବେ ବି ୧୪୪ଧାରା ଜାରି ରହିଛି । ଲୋକେ ଏକାଠି ହେବା ସମ୍ଭବ ହେଉନଥିବା ବେଳେ ଚାରିଆଡେ ସୁରକ୍ଷାକର୍ମୀ ପହରା ଦେଉଛନ୍ତି । ଜାମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ଶ୍ରୀନଗର ଓ ଜାମ୍ମୁ ଛାଡୁଛନ୍ତି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ ଦେଖିବାକୁ ମିଳିଛି ।

ଶ୍ରୀନଗର ଓ ଜାମ୍ମୁ ରେ ରହୁଥିବା ବାହାର ରାଜ୍ୟର ଲୋକେ ଅସୁବିଧାରେ ଅଛନ୍ତି । ଯେକୌଣସି ପ୍ରକାରେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ଚାହିୁଁଛନ୍ତି । ଏଥିପାଇଁ ପ୍ରଶାସନ ସେମାନଙ୍କୁ ସହାୟତା କରୁନଥିବା ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ ଭିଡ ଯୋଗୁଁ ଟିକେଟ ମିଳୁନାହିଁ । ଆଉ ଯେଉଁଠି ଟିକେଟ ମିଳୁଛି ଦର ଆକାଶଛୁଆଁ ହୋଇଛି ।