ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୋମୁହାଁ ନୀତି : ଆତଙ୍କୀ ହାଫିଜ୍ ସଇଦଙ୍କ ପାଇଁ ମାଗିଲେ ଟଙ୍କା

3,285
କନକ ବ୍ୟୁରୋ : ପଦାରେ ପଡ଼ିଲା ଇମ୍ରାନ୍ ଖାନଙ୍କ ଅସଲ ଚେହେରା । ପୁଣି ଥରେ ସାମ୍ନାକୁ ଆସିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଦୋମୁହାଁ ନୀତି । ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରାଇଥିବା ବିଶ୍ୱ ଆତଙ୍କବାଦୀ ହାଫିଜ୍ ସଇଦ ପାଇଁ ଇମ୍ରାନ୍ ଜାତିସଂଘକୁ ଅନୁରୋଧ କରିଛନ୍ତି। ଗୋଟିଏ ପଟେ ଇମ୍ରାନ୍ ଖାନ୍ ସାରା ବିଶ୍ୱକୁ ଦେଖାଇବାକୁ ଚାହୁଁଛନ୍ତି ସେମାନେ ଶାନ୍ତି ଚାହୁଁଛନ୍ତି, ଆତଙ୍କବାଦ ବିରୋଧରେ ଲଢୁଛନ୍ତି  । କିନ୍ତୁ ମିଳିତ ଜାତିସଂଘ ଆଗରେ କିଛି ଅଲଗା କରିଛନ୍ତି ଇମ୍ରାନ୍ । ମୋଷ୍ଟୱାଂଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ ପାଇଁ ଏବେ ଇମ୍ରାନ୍ ଖାନଙ୍କ ଦରଦ ଉଛୁଳି ପଡିଛି । ନିଜର ପରିବାରର ଖର୍ଚ୍ଚ ଚଳାଇବା ପାଇଁ ଫ୍ରିଜ ହୋଇଥିବା ଆକାଉଂଟରୁ ହାଫିଜକୁ ଟଙ୍କା ବାହାର କରିବାକୁ ଅନୁମତି ଦେବାକୁ ଜାଲିସଂଘରେ ଗୁହାରି କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ।
ଦେବାଳିଆ ଅବସ୍ଥାରେ ଥିବା ଦେଶ ଅପେକ୍ଷା ଆତଙ୍କୀ ପାଇଁ ଇମ୍ରାନଙ୍କ ଅଧିକ ଚିନ୍ତା । ଲୋକେ ପରେ ନଖାଇ ନପିଇ ମରନ୍ତୁ, କିନ୍ତୁ ଆତଙ୍କୀ ଦୁର୍ଗ ସୁରକ୍ଷିତ ରହୁ । ସୂଚନା ଅନୁସାରେ ମିଳିତ ଜାତିସଂଘ ଏନେଇ ଆଂଶିକ ଅନୁମତି ଦେଇଛି । ହାଫିଜ୍ ସୟିଦ୍ ହେଉଛି ଜଣେ କୁଖ୍ୟାତ ଆତଙ୍କବାଦୀ । ତାର ମୁଣ୍ଡ ପାଇଁ ଆମେରିକା ୧୦ ଲକ୍ଷ ଟଙ୍କାର ଅର୍ଥରାଶୀ ବି ଘୋଷଣା କରିଛି । ହେଲେ ପାକିସ୍ତାନ ହାଫିଜକୁ ସୁରକ୍ଷା ଦେଇ ଆଶ୍ରୟ ଦେଇଛି । ଆଉ ପାକିସ୍ତାନରେ ରହି ହାଫିଜ୍ ଭାରତ ବିରୋଧରେ କରୁଛି ଷଡଯନ୍ତ୍ର ।
୨୦୦୧ ରେ ସଂସଦ ଭବନ ଉପରେ ଆକ୍ରମଣ ଏବଂ ୨୦୦୬ ମସିହାରେ ମୁମ୍ୱାଇ ଲୋକାଲରେ ବିସ୍ଫୋରଣ, ୨୦୦୮ରେ ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଁଣ୍ଡ ଥିଲା ହାଫିଜ ସୟିଦ । ଗ୍ଲୋବାଲ ଟେରରିଷ୍ଟ ଘୋଷଣା ପରେ ହାଫିଜର ସବୁ ବ୍ୟାଙ୍କ ଆକାଉଂଟ ଫ୍ରିଜ ହୋଇଯାଇଛି । ସଂପତି ବି ସିଜ୍ ହୋଇଛି । ଏଭଳି ସ୍ଥିତିରେ ହାଫିଜର ଖର୍ଚ୍ଚ ପାଇଁ ଟଙ୍କା ଉଠାଇବାକୁ ଇମ୍ରାନ୍ ଜାତିସଂଘରେ ଗୁହାରି କରୁଛନ୍ତି ।