କନକ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଅତ୍ୟାଚାରରେ ଅତିଷ୍ଠ ହୋଇ ଗତ ଶନିବାର ପିଓକେବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଲୋକେ ଖୋଲାଖୋଲି ଭାବେ ପାକିସ୍ତାନକୁ ବିରୋଧ କରିବା ସହ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶହ ଶହ ବିକ୍ଷୋଭକାରୀ ପୋଲିସ ଉପରକୁ ଢେଲାମାଡ଼ କରିବା ସହ କେତେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପରିସ୍ଥିତି ଅଣାୟତ ହେବାର ଦେଖି ବିକ୍ଷୋଭକାରୀଙ୍କ ଉପରେ ଦମନଲୀଳା ଚଳେଇଥିଲା ପାକିସ୍ତାନୀ ସେନା । ଲୋକଙ୍କ ଉପରେ ଲାଠି ଚାର୍ଜ ହେବାସହ ବିକ୍ଷୋଭକାରୀଙ୍କୁ ପ୍ରବଳ ମାଡ଼ ମାରିଥିଲା । ପିଓକେର ସ୍ୱାଧୀନତା ପାଇଁ ନାରାବାଜି କରିଥିବା ୨୨ ଜଣ ଲୋକଙ୍କ ଗିରଫ କରିଛି ପୋଲିସ୍ ।
Advertisment
ପୋଲିସ ଲାଠିଚାଳନା ପରେ ପରିସ୍ଥିତି ବିସ୍ଫୋରକ ରୂପ ନେଇଥିଲା ।  ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜଫରାବାଦରୁ ୮୦ କିମି ଦୂର ତାତ୍ରୀନୋଟ ଗାଁରେ ସ୍ଥାନୀୟ ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହାକୁ ଦେଖି ମୋବାଇଲ ଫୋନ୍ ସେବା ବନ୍ଦ କରିଦେଇଥିଲେ ପାକିସ୍ତାନ । ପିଓକେରେ ପାକିସ୍ତାନୀ ସେନା ମାନବାଧିକାର ଉଲ୍ଲଂଘନ କରିବା ସହ ଅତ୍ୟାଚାର କରୁଛି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି । ଏହା ତୁରନ୍ତ ବନ୍ଦ କରିବା ପାଇଁ ପିଓକେବାସୀ ଦାବି କରିଛନ୍ତି । ବିଶ୍ୱ ସମୁଦାୟ ଏହା ଉପରେ ହସ୍ତକ୍ଷେପ ନ କଲେ ପରିସ୍ଥିତି ଉଗ୍ରରୂପ ଧାରଣ କରିବ ବୋଲି ଚେତାବନୀ ଦିଆଯାଇଛି ।
ଅନ୍ୟପଟେ ଜିଲ୍ଲା ପୋଲିସ ଅଜବ ଯୁକ୍ତି ବାଢ଼ିଛି । ବିକ୍ଷୋଭ ପ୍ରଦର୍ଶନକାରୀ ନିର୍ଦ୍ଧାରିତ ସ୍ଥାନ ଅତିକ୍ରମ କରିଥିବାରୁ ସେମାନଙ୍କୁ ରୋକିବାକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା ବୋଲି ସଫେଇ ଦେଇଛି । ପିଓକେରେ ପାକିସ୍ତାନୀ ସେନା ସଂଖ୍ୟା ବଢ଼ୁଥିବା ଦେଖି ଲୋକେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆଗାମୀ ଦିନରେ ଜାତିସଂଘ ସାଧାରଣ ଅଧିବେଶନରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ କଶ୍ମୀର ନେଇ ନିଜ ମତ ରଖିବାକୁ ଯାଉଛନ୍ତି । ବିଶ୍ୱ ଦରବାରରେ କଶ୍ମୀରକୁ ନେଇ ପାକିସ୍ତାନ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଥିବାବେଳେ ପିଓକେବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ଇମ୍ରାନ୍ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ପିଓକେବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ଭାରତକୁ କେଉଁଠି ନା କେଉଁଠି ଲାଭଦେବ ବୋଲି ଆଶାକରାଯାଉଛି ।