ସୀମାନ୍ତ ଗ୍ରାମକୁ ଟାର୍ଗେଟ କରୁଛି ପାକିସ୍ତାନ : ପାକ୍ ସେନାର ଗୁଳିମାଡ଼ରେ ଅନେକ ଘର ସଂପୂର୍ଣ୍ଣ ଧ୍ବଂସ, କଡ଼ା ଜବାବ ଦେଲା ଭାରତୀୟ ସେନା

313

କନକ ବ୍ୟୁରୋ : ସୁଧୁରୁନି ପାକିସ୍ତାନ । ଭାରତରେ ବିରୋଧୀ ଷଡ଼ଯନ୍ତ୍ର ଜାରି ରଖିଛି । ପାକିସ୍ତାନ ସେନା ଗତକାଲି ଭୋର୍‌ ସମୟରୁ ନିୟନ୍ତ୍ରଣ ରେଖା ଅଂଚଳର ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ବର୍ଷା କରିଥିଲା । ରାଜୌରି ଜିଲ୍ଲାରେ ପ୍ରାୟ ୨୦ଟି ଗ୍ରାମକୁ ପାକିସ୍ତାନୀ ସେନା ଟାର୍ଗେଟ୍‌ କରି ଗୋଳା ମାଡ଼ କରିବା ପରେ ଅନେକ ଘର ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି ଏବଂ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଲୋକେ ଭୟରେ ଘର ଛାଡ଼ି ବଙ୍କରରେ ଆଶ୍ରୟ ନେଉଛନ୍ତି କିମ୍ବା ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି ।

ପାକିସ୍ତାନ ସେନା ଜନବସତିଗୁଡ଼ିକୁ ଟାର୍ଗେଟ୍‌ କରୁଥିବାରୁ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି । ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ପାକିସ୍ତାନୀ ପୋଷ୍ଟ ଧ୍ବସ୍ତ ହୋଇଥିବା ଖବର ମିଳିଛି । ପାକ୍‌ ଗୋଳା ବର୍ଷାରେ ଆଜି ସର୍ବାଧିକ କ୍ଷତିଗସ୍ତ ହୋଇଛି ଦିଇଙ୍ଗ୍‌ ଏବଂ କଲାଲ ଗ୍ରାମ । ସମସ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ସୁନ୍ଦରବନୀ ଏବଂ ନୌସେରା ସେକ୍ଟରରେ ମଧ୍ୟ ଆଜି ପୂର୍ବାହ୍ନ ୧୦ଟାରୁ ୪୦ରୁ ଅଧିକ ସ୍ଥାନକୁ ପାକିସ୍ତାନ ଟାର୍ଗେଟ୍‌ କରିଥିଲା । ତେବେ ଏହି ଗୁଳିବର୍ଷାରେ କେହି ମୃତାହତ ହୋଇଥିବା ଖବର ନାହିଁ । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଏଭଳି ଗୁଳି ବର୍ଷା କରୁଥିବାରୁ ସୀମା ସ୍ଥିତି ନେଇ ଏବେ ଉପଗ୍ରହ ସହାୟତାରେ ମଧ୍ୟ ଅହରହ ନଜର ରଖାଯାଉଛି । ପ୍ରାୟ ୨୫୦ ଆତଙ୍କବାଦୀ ଏବେ ଭାରତରେ ପଶିବାକୁ ପିଓକେରେ ପ୍ରସ୍ତୁତ ହୋଇ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରେ କେତେକ ଅନୁପ୍ରବେଶ କରିସାରିଥିବା ମଧ୍ୟ କୁହାଯାଉଛି । କଶ୍ମୀରରେ ହିଂସା ଘଟାଇବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା ବେଳେ ଏହାକୁ ପଣ୍ଡ କରିବା ପାଇଁ ସୁରକ୍ଷା ବାହିନୀ ବ୍ୟାପକ ସତର୍କତା ଅବଲମ୍ବନ କରିଛି ।