ପାକିସ୍ତାନର ନୂଆ ଚାଲ୍ ! ଅଭିନନ୍ଦନଙ୍କୁ ଫେରାଇବା ବଦଳରେ ଇମ୍ରାନଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ଦାବି

607

କନକ ବ୍ୟୁରୋ : ଗତକାଲି ଭାରତକୁ ଫେରିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଦୀର୍ଘ ୬୦ ଘଂଟା ପରେ ୱାଘା ବର୍ଡର ଦେଇ ପାକିସ୍ତାନରୁ ଭାରତକୁ ଫେରିଥିଲେ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନ । ଶାନ୍ତି ପ୍ରତିଷ୍ଠା ପାଇଁ ଅଭିନନ୍ଦନଙ୍କୁ ଫେରାଇଛି ବୋଲି କହିଛି ପାକ୍ । ହେଲେ ଭାରତ ଓ ପାକ୍ ମଧ୍ୟରେ ଏବେ ବି ଉତ୍ତେଜନା ଜାରି ରହିଛି । ପାକ୍ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି । ଅଭିନନ୍ଦନଙ୍କୁ ଫେରାଇ ପାକ୍ ଆଉ ଏକ ନୂଆ ଷଡଯନ୍ତ୍ର ରଚୁଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁୁ ନୋବେଲ ପୁରସ୍କାର ପ୍ରଦାନ ଦାବିରେ ପାକିସ୍ତାନ ସଂସଦରେ ପ୍ରସ୍ତାବ ଅଣାଯାଇଛି ।

ଭାରତ ପାକ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଆଳରେ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ  ଏପରି ପ୍ରସ୍ତାବ ଆଣିଛନ୍ତି । ସେ କହିଛନ୍ତି ଭାରତ ପାକ୍ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ କମ କରିବା ପାଇଁ ଇମ୍ରାନ ଖାନ୍ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି । ତାଙ୍କୁ ନୋବୋଲ ଶାନ୍ତି ପୁରସ୍କାର ମିଳିବା ଉଚିତ । ସୂଚନାଯୋଗ୍ୟ ପାକିସ୍ତାନରେ ଶୁକ୍ରବାର ଦିନ ଠାରୁ #NobelPeacePrizeForImranKhan ଟ୍ରେଣ୍ଡ କରୁଛି । ପୁଲୱାମା ଆକ୍ରମଣ ଚାରିଆଡ଼ୁ ଚାପର ଶିକାର ହେଉଥିବା ପାକିସ୍ତାନ ଏକଘରିଆ ହେବା ଭୟରେ ଏପରି ଚାଲ କରୁଛି । ତେବେ ପାକିସ୍ତାନ ଭାରତର ୱିଙ୍ଗ କମାଣ୍ଡରଙ୍କ ଭିଡ଼ିଓ ମିଡ଼ିଆ ସାମ୍ନାରେ ଉପସ୍ଥାପନ କରିବା ସହ ବିଳମ୍ବରେ ଛାଡ଼ିଥିବା କଥା ନେଇ ଏବେ ଆଲୋଚନା ଜୋର ଧରିଛି ।

ଅନ୍ୟପଟେ ସାମ୍ନା-ସାମ୍ନି ମୁକାବିଲା କରିବା ପାଇଁ ଅସମର୍ଥନ ଥିବା ପାକିସ୍ତାନ ଏବେ ପଛରୁ ଛୁରା ମାଡ଼ କରିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛି । ତାଜା ଖବର ଅନୁସାରେ ଭାରତୀୟ ଯବାନଙ୍କ ପାଇଁ ଗୋଦାମରେ ରଖାଯାଉଥିବା ରାସନ୍ ସାମଗ୍ରୀରେ ବିଷ ମିଶାଇବାର ଯୋଜନା କରୁଥିବା ଭଳି ଏକ ସାଂଘାତିକ୍ ଖବର ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଆଇଏସଆଇ, ଭାରତୀୟ ଯବାନଙ୍କ ଖାଇବା ସାମଗ୍ରୀରେ ବିଷ ମିଶାଇ, ଏକାଥରରେ ଶହ ଶହ ଯବାନଙ୍କୁ ଜୀବନରୁ ମାରିଦେବାର ଯୋଜନା କରୁଥିବା ଏହି ଖବରରୁ ଜଣାପଡ଼ିଛି ।