କନକ ବ୍ୟୁରୋ : ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଅଂଚଳରେ ନିକଟରେ ଆଜି ପାକ୍‌ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି । ରାଜୌରି ଜିଲ୍ଲାର ନୌସେରା, ସୁନ୍ଦରବନି ସେକ୍ଟର ଏବଂ ପୁଞ୍ଚ୍‌ ଜିଲ୍ଲାର କ୍ରୀଷ୍ଣା ଘାଟି ସେକ୍ଟରରେ ଆଜି ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହା ସହିତ ଏଲଓସିରେ ପାକିସ୍ତାନ ଆଜି ସେନା ମୁତୟନ ବଢ଼ାଇଛି । ସୀମା ନିକଟସ୍ଥ ଗାଁ ଏବଂ ଆଗୁଆ ଘାଟିଗୁଡ଼ିକୁ ଟା‌ର୍ଗେଟ୍‌ କରି ପାକିସ୍ତାନ ଗୁଳିବର୍ଷା ଜାରି ରଖିଥିବା ବେଳେ ଭାରତୀୟ ସେନା ପାକିସ୍ତାନକୁ ଚେତାବନୀ ଦେଇଛି । ନାଗରିକଙ୍କୁ ଟାର୍ଗେଟ୍‌ କରିବା ବନ୍ଦ ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି ।

Advertisment

ପାକ୍‌ ସେନାର ଗୁଳିମାଡ଼ ଫଳରେ ନୌସେରା ସେକ୍ଟରରେ ଜଣେ ଯବାନ ଗୁରୁତର ଆହତ ହୋଇ ଏବେ ସେନା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁଯାୟୀ ପାକ୍‌ ସେନା ଆଜି ପୂର୍ବାହ୍ନ ୧୧.୩୦ ସମୟରେ ନୌସେରାରେ ଆଗୁ୍ଆ ଘାଟି ଏବଂ ଗାଁଗୁଡ଼ିକୁ ଟାର୍ଗେଟ୍‌ କରି ଗୁଳିମାଡ଼ କରିଥିଲା । ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା । କିନ୍ତୁ ପାକ୍‌ ସେନା ପକ୍ଷରୁ ଲଗାତାର ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରାଯାଉଥିବାରୁ ଏହା ଏବେ ଚିନ୍ତାର କାରଣ ହୋଇଛି ।

ଉଲ୍ଲେଖଯୋଗ୍ୟ ଗତ ଗୋଟିଏ ସପ୍ତାହରେ ପାକ୍‌ ସେନା ୬୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଏବଂ ଏଥିଯୋଗୁଁ ୪ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆହତ ହୋଇଛନ୍ତି । ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ସେନାମୁଖ୍ୟ ବିପିନ ରାୱତ ଶନିବାର ଦିନ ଏଲ୍‌ଓସି ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ । ଜମ୍ମୁର ସାମ୍ବାରେ ଅନେକ ଆଗୁଆ ଘାଟିଗୁଡ଼ିକୁ ବୁଲିଥିଲେ ରାୱତ । ସେନା ସବୁ ପ୍ରକାର ସ୍ଥିତିର ମୁକାବିଲ କରିପାରିବ ବୋଲି ରାୱତ କହିଥିଲେ ।