କାଳିଆ ଠାକୁରଙ୍କ ପହଣ୍ଡି ଆରମ୍ଭ : ଅପରୂପା ଶୋଭାର ସମ୍ଭାର, ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେଉଛନ୍ତି ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ

151

କନକ ବ୍ୟୁରୋ : ଆରମ୍ଭ ହେଲା ଭାବ ବିନୋଦିଆର ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି । ପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୂଢ଼ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରୁଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଗୋଟି ପହଣ୍ଡିରେ ବାହାରିଥିଲେ ।

ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହୋଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।