କନକ ବ୍ୟୁରୋ : କୋହଳ ହେବ ଜୋରିମାନା । ଲୋକଙ୍କୁ ମିଳିବ ଆଶ୍ୱସ୍ତି । ଅଧିକ ତଣ୍ଡ ଗଣିବାରୁ ରକ୍ଷା ପାଇବେ ଲୋକେ । ନୂଆ ଟ୍ରାଫିକ୍ ନିୟମ ଲାଗୁହେବା ପରେ ସାରା ଦେଶ ତଥା ଓଡ଼ିଶାରେ ଚେକିଂ କଡ଼ାକଡ଼ି ହୋଇଛି । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି ଆରଟିଓ ଏବଂ ଟ୍ରାଫିକ୍ ପୋଲିସ । ଘରୁ ଗାଡି ଧରି ବାହାରିଲେ ଚାଳକ ଛାତିରେ ପଶୁଛି ଛନକା । ତେବେ ଲୋକଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୁଣା ନିୟମକୁ ସଂଶୋଧନ କରି ନୂଆ ନିୟମ ଆଣିବେ ରାଜ୍ୟ ସରକାର । ଏନେଇ ସଙ୍କେତ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନୂଆ ମୋଟର ସଂଶୋଧନ ଆଇନରେ ଆଦାୟ ହେଉଥିବା ଜୋରିମାନା ଅଧିକ ବୋଲି ସରକାର ବି ଅନୁଭବ କରୁଛନ୍ତି । ମାତ୍ର ୮ ଦିନର ନିୟମରେ ଅଥୟ ହୋଇପଡ଼ିଲେଣି ଜନତା । ନୂଆ ନିୟମ ଅନୁସାରେ ଲୋକଙ୍କୁ ହଜାର ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ପଡ଼ୁଛି ।
ଅଧିକ ଫାଇନରୁ ବଞ୍ଚିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଉ ଅଧିକ ଜୋରିମାନା ଦେବାକୁ ପଡ଼ିବ ନାହିଁ । କୋହଳ ହେବ ନୂଆ ନିୟମ । କେନ୍ଦ୍ର ସରକାରଙ୍କ ନିୟମ ହୋଇଥିବାରୁ ଏଥିରେ କୌଣସି ପରିବର୍ତ୍ତନ କରିହେବ ନାହିଁ । ହେଲେ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର କଡ଼ା ନିୟମରେ କିଛି ପରିବର୍ତ୍ତନ କରିବା ପାଇଁ ଯୋଜନା କରୁଛନ୍ତି । ପୁରୁଣା ଓ ନୂଆ ନିୟମକୁ ତୁଳନା କରିବା ସହ ତର୍ଜନା କରିବା ପରେ ରାଜ୍ୟ ସରକାର ରାଜ୍ୟରେ ନୂଆ ନିୟମ ଆଣିପାରନ୍ତି । ଅଧିକ ନହେଲେ ମଧ୍ୟ କିଛି ପରିମାଣରେ ଲୋକେ ଜୋରିମାନାରୁ ଆଶ୍ୱସ୍ତି ପାଇବେ ବୋଲି କହିଛନ୍ତି ପଦ୍ମନାଭ ବେହେରା ।
କେନ୍ଦ୍ର ସରକାରଙ୍କ ଏହି ନିୟମକୁ ଚାରିଆଡ଼େ ବିରୋଧ କରାଯାଉଛି । ଓଡ଼ିଶାରେ ହିଁ ସବୁଠାରୁ ଅଧିକ ଜୋରିମାନା ଆଦାୟ କରାଯାଇଥିବାର ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ହିଁ ଲୋକେ ନୂଆ ଆଇନ ପାଇଁ ଅଧିକ ପ୍ରଭାବିତ ହୋଇଛନ୍ତି ତଥା ଅଧିକ ତଣ୍ଡ ଗଣିଛନ୍ତି । ତେବେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଆଗାମୀ ଦିନରେ କେତେଦୂର ଫଳପ୍ରଦ ହେବ ତାହା ସମୟ କହିବ । ସେପ୍ଟେମ୍ବର ପହିଲାରୁ ଦେଶରେ ନୂଆ ମୋଟର ସଂଶୋଧନ ଆଇନ ଲାଗୁ ହେବା ପରେ ମାତ୍ରାଧିକ ଜୋରିମାନା ନେଇ ଆକ୍ରୋଶ ଦେଖାଦେଇଥିଲା । ଏପରିକି ଭୁବନେଶ୍ୱରର ରାଜମହଲରେ ଶନିବାରଦିନ ଏହାକୁ ନେଇ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା ।