ସୁପ୍ରିମକୋର୍ଟରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଝଟକା : ଆଗୁଆ ଜାମିନ ଆବେଦନ ଖାରଜ,ଗିରଫ କରିବ ଇଡି

380

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ  ଲାଗିଲା ବଡ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ଖଣ୍ଡପୀଠ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଗିରଫ କରିବ ଇଡି । ଇଡି ଗିରଫଦାରୀକୁ ଏଡାଇବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଚିଦାମ୍ବରମ । କିନ୍ତୁ ଏହାକୁ ଆଜି ଖାରଜ କରିଦେଇଛନ୍ତି କୋର୍ଟ । ଅନ୍ୟପଟେ ଆଜି ସିବିଆଇର ରିମାଣ୍ଡ ଅବଧି ଶେଷ ହେବ ।  ଅଗଷ୍ଟ ୨୧ ତାରିଖରୁ ସିବିଆଇ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ କରିଛି । ସେହିଦିନଠାରୁ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ସିବିଆଇ । ତେବେ କୋର୍ଟ ତାଙ୍କୁ ଜାମିନ ଦେବେ ନାଁ ପୁଣି ରିମାଣ୍ଡରେ ପଠାଇବେ ତାହା ଉପରେ ସାରା ଦେଶର ନଜର ରହିଛି । 

ସୂଚନାଯୋଗ୍ୟ ଗତ ମଙ୍ଗଳବାର ଦିନ ଦିଲ୍ଲୀର ଏକ ତଳ କୋର୍ଟ ଆଇଏନ୍ଏକ୍ସ ମିଡିଆ କେସରେ ସିବିଆଇ ରିମାଣ୍ଡ ଅବଧିକୁ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୫ ତାରିଖ ଯାଏଁ ହେପାଜତରେ ନେବାକୁ ସିବିଆଇ ଆଦେଶ ଦେଇଥିଲେ । ଏ ନେଇ ସଲିସିଟର୍ ଜେନାରାଲ ତୁଷାର ମେହେତା ଓ ଚିଦାମ୍ବରମଙ୍କ ଓକିଲ ନ୍ୟାୟାଧୀସଙ୍କୁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଆଦେଶକୁ ଅବଗତ କରାଇଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ଦିନରେ ଦୁଇଟି ଆଦେଶ ଦେଇଥିଲେ ଯେ ତାଙ୍କୁ ଗୁରୁବାର ପର୍ଯ୍ୟନ୍ତ ସିବିଆଇ ନିଜ ହେପାଜତରେ ରଖିପାରିବ । ଏହା ପରେ ମାମଲାର ଶୁଣାଣି କରୁଥିବା ବିଚାରପତି ଅଜୟ କୁମାର ଗୁରୁବାର ଯାଏଁ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।  ଦିଲ୍ଲୀ ହାଇକୋର୍ଟ ଚିଦମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିବା ପରେ ସିବିଆଇ ଚିଦମ୍ବରମଙ୍କୁ  ଗିରଫ କରିଥିଲା ।