ଆଜି ଠାରୁ ପ୍ଲାଷ୍ଟିକ୍ ବ୍ୟାନ୍ ! ନିମୟ ଉଲ୍ଲଙ୍ଘନ କଲେ ଏକ ଲକ୍ଷ ଟଙ୍କା ଜରିମାନା ସମେତ ୬ ମାସ ଜେଲଦଣ୍ଡ, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ନିୟମ ?

794

ପ୍ଲାଷ୍ଟିକ୍ ମୁକ୍ତ ହେବ ଉତ୍ତରପ୍ରଦେଶ । ଉତ୍ତରପ୍ରଦେଶରେ ଆଜିଠାରୁ ପ୍ଲାଷ୍ଟିକ୍ ବ୍ୟାନ୍ । ପ୍ଲାଷ୍ଟିକ୍ ମୁକ୍ତ ସହର ଗଢ଼ି ତୋଳିବାକୁ ଯୋଗୀ ସରକାର ଅଭିଯାନକୁ କଡ଼ାକଡ଼ି କରିଛନ୍ତି । ପ୍ରଦେଶରେ ଏବେ ଆଜି ଠାରୁ କୌଣସି ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନରେ ସାମଗ୍ରୀ ବିକ୍ରିବଟା ହୋଇପାରିବ ନାହିଁ । ୫୦ ମାଇକ୍ରନରୁ ଅଧିକ ମାତ୍ରା ଥିବା ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । ତେବେ ସରକାରଙ୍କ ଏହି ନିୟମ ନମାନି ପ୍ଲାଷ୍ଟିମ୍ ବ୍ୟବହାର କଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ଛଅ ମାସ ଜେଲ ଦେଣ୍ଡ ଭୋଗିବାକୁ ପଡ଼ିବ ।

ଯୋଗୀ ସରକାରରେ ପ୍ଲାଷ୍ଟିକ୍ ମୁକ୍ତ ହେବ ସହର । ପରିବେଶ ପ୍ରଦୂଷଣ ରୋକିବାକୁ ଯୋଗୀ ସରକାରଙ୍କ ତାଗିଦ୍ । ସାରା ରାଜ୍ୟରେ ଏବେ ପ୍ଲାଷ୍ଟିକ ବ୍ୟବହାର ଉପରେ ବ୍ୟାନ ଲଗାଯାଇଛି । ଏକ ଅଗଷ୍ଟ ତଥା ଆଜି ଠାରୁ ଏହି ନିୟମକୁ କଡ଼ାକଡ଼ି କରାଯାଇଛି । ୟୁପି ସରକାର ପ୍ଲାଷ୍ଟିକ ପ୍ରତିବନ୍ଧ ନେଇ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି । ଗୃହ ବିଭାଗର ସଚିବଙ୍କ ଜାରି ନିର୍ଦ୍ଦେଶାନାମା ଅନୁସାରେ ୩୧ ଅଗଷ୍ଟ ପରଠାରୁ ନିୟମ ନମାଲିରେ ଉକ୍ତ ଅଞ୍ଚଳର ଥାନାବାବୁ, ନଗର ନିଗମ ଅଧିକାରୀ, ମାଜିଷ୍ଟ୍ରେଟ ଦାୟୀ ରହିବେ । ପଲିଥିନ୍ ବ୍ୟବହାର କରୁଥିବା ଦୋକାନୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ବଡ଼ ବାବଙ୍କୁ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ଲାଷ୍ଟିକ ମୁକ୍ତ ସହର ପାଇଁ ସବୁଠାରୁ ଅଧିକ ଜରୁରୀ ହେଲା ଜନସଚେନତା । ଆଉ ଏଥିପାଇଁ ଲୋକଙ୍କ ନିମନ୍ତେ ଏକ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି ହୋଇଛି । ପ୍ଲାଷ୍ଟିକରେ ସାମଗ୍ରୀ ବିକ୍ରି ହେଉଥିଲେ, କିମ୍ବା କେହି ବ୍ୟବହାର କରୁଥିବାର ଆଖିରେ ପଡ଼ିଲେ ୭୮୩୯୮୬୧୩୧୪ରେ ଡାଏଲ୍ କରି ସୂଚନା ଦେଇପାରିବେ । ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୁପ୍ତ ରଖାଯିବ । ତେବେ ପ୍ରତି ନିର୍ବାଚନ ମଣ୍ଡଳୀର ଜନପ୍ରତିନିଥିଙ୍କୁ ମଧ୍ୟ ନୂଆ ନିୟମ ବିଷୟରେ ଅବଗତ କରାଯାଇଛି । ଲୋକେ ବାଛିଥିବା ନେତା ହିଁ ନିୟମ ଠିକରେ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ । ଏବଂ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।