ବାର୍ଡ ଫ୍ଲୁ ଚିହ୍ନଟ ପରେ ଓୟୁଏଟି ଫାର୍ମ ସିଲ୍‌ : ଲାଗିଲା ଲାଲ ପତାକା, ଏକ ବର୍ଷ ଯାଏ କୁକୁଡ଼ା ପ୍ରଜନନ ବନ୍ଦ

204

କନକ ବ୍ୟୁରୋ :  ଓୟୁଏଟି କୁକୁଡ଼ା  ଫାର୍ମକୁ ସିଲ୍‌ । ବାର୍ଡ ଫ୍ଲୁ ଚିହ୍ନଟ ପରେ ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି) ଫାର୍ମକୁ ସିଲ୍‌ କରି ଦିଆଯାଇଛି । ଏହି ଫାର୍ମକୁ ସିଲ୍‌ କରିବା ସହ କର୍ତ୍ତୃପକ୍ଷ ଲାଲ ପତାକା ମଧ୍ୟ ଲଗାଇଛନ୍ତି । ଏହି ଫାର୍ମ ତିନିମାସ ପର୍ଯ୍ୟନ୍ତ ସିଲ୍‌ ରହିବା ସହିତ ପ୍ରତି ୧୫ଦିନରେ ଥରେ ବିଶୋଧନ କରାଯିବ । ଏଥିସହିତ ୧ବର୍ଷ ଯାଏଁ ଏହି ଫାର୍ମରେ କୁକୁଡ଼ା ପ୍ରଜନନକୁ ବନ୍ଦ କରାଯିବ ବୋଲି ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି ।

ଜାନୁଆରି ୨୭ ତାରିଖରେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ବାର୍ଡ ଫ୍ଲୁ ସ୍ଥିତିର ଅନୁଧ୍ୟାନ କରିଥିଲେ । ଠିକ୍‌ ସମୟରେ ଭୂତାଣୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯାଇଥିବାରୁ ବାର୍ଡ-ଫ୍ଲୁକୁ ରୋକାଯାଇ ପାରିଥିଲା ବୋଲି କୁହାଯାଉଛି। ତେଣୁ ଭୟଭୀତ ନ ହେବାକୁ ପ୍ରତିନିଧିଦଳ ପରାମର୍ଶ ଦେଇଛନ୍ତି ।