ଆରବିଆଇର ଗୁୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ । ବିଶ୍ୱ ଜିଡିପିରେ ୯ ଲକ୍ଷ କୋଟି ଟଙ୍କାର କ୍ଷତି ଆଶଙ୍କା । ଜି ଟ୍ୱେଂଟି ଦେଶଗୁଡିକ ତୁଳନାରେ ଭାରତର ସ୍ଥିତି ବେଶ ଭଲ । କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇଥିବାରୁ ଓଡିଶା, ପଶ୍ଚିମବଙ୍ଗ ଓ ଆସାମକୁ ପ୍ରଶଂସା ।

449

କନକ ବ୍ୟୁରୋ : ଦେଶରେ କରୋନାକୁ ନେଇ ପ୍ରଭାବିତ ହୋଇଥିବା ବ୍ୟାଙ୍କିଂ ବ୍ୟବସ୍ଥାରେ ନୂଆ ଜୀବନ ଭରିବାକୁ ଉଦ୍ୟମ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର । ବ୍ୟାଙ୍କ ଗୁଡିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ସିଧାସଳଖ ରିଭର୍ସ ରେପୋ ରେଟରେ ହ୍ରାସ କରିଛି ଆରବିଆଇ । ରିଭର୍ସ ରେପୋ ରେଟରେ ୦ ଦଶମିକ ୨୫ ବେସିସ୍ ପଏଂଟ ହ୍ରାସ କରି ରିଭର୍ସ ରେପୋ ରେଟ ୩.୭୫ ପ୍ରତିଶତ ରହିଛି । ରେପୋ ରେଟ୍ କିନ୍ତୁ ଅପରିବର୍ତ୍ତିତ ରହିଛି । ସେହିପରି ବଜାରରେ ନଗଦ ରାଶିର ଯେପରି ଅଭାବ ନଆସେ ସେଥିପାଇଁ ବ୍ୟାଙ୍କ ଗୁଡିକୁ ୫୦ ହଜାର କୋଟିର ଅର୍ଥିକ ସହାୟତା କରିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ।

ଭାରତର କ୍ଷୁଦ୍ର ଓ ମଧ୍ୟମ ଆର୍ଥିକ ସଂସ୍ଥାକୁ ୫୦ ହଜାର କୋଟିର ଆର୍ଥିକ ସହାୟତା । ନାବାର୍ଡକୁ ୨୫ ହଜାର କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯିବ । ବ୍ୟାଙ୍କ ଗୁଡିକର ସ୍ଥିତି ସଜାଡିବାକୁ ସବୁବେଳେ ନଜର ରଖାଯାଇଥିବା କହିଛନ୍ତି ଶକ୍ତିକାନ୍ତ ଦାଶ । ଦେଶର ୯୧ ପ୍ରତିଶତ ଏଟିଏମ୍ ଏବେ ସଚଳ ରହିଛି । ବଜାରକୁ ଟଙ୍କା ଆସିବାକୁ ନୂଆ ପଦ କ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଶକ୍ତିକାନ୍ତ ଦାଶ । କରୋନାର ଜଟିଳ ସ୍ଥିତି ସତ୍ୱେ ଦେଶର ବିଦେଶୀ ମୁଦ୍ରା ପାଣ୍ଠି ୪୭୬ ଅରବ ଡଲାର ରହିଥିବା ସେ ସୂଚନା ଦେଇଛନ୍ତି । ବିଶ୍ୱରେ ଅଶୋଧିତ ତୈଳ ଦର ହ୍ରାସ ହେଉଥିବାରୁ ଏହା ଭାରତକୁ ଲାଭବାନ କରିବ ବୋଲି କହିଛନ୍ତି ଶକ୍ତିକାନ୍ତ ଦାଶ । କେବଳ ଏତିକି ନୁହେଁ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇଥିବାରୁ ଓଡିଶା, ପଶ୍ଚିମବଙ୍ଗ ଓ ଆସାମକୁ ପ୍ରଶଂସା କରିଛନ୍ତି ଶକ୍ତିକାନ୍ତ ଦାସ ।

ମାର୍ଚ ମାସରେ ଅଟୋମୋବାଇଲ୍ ଉତ୍ପାଦନ ଓ ବିକ୍ରି ତୀବ୍ର ହ୍ରାସ ପାଇଛି।  ମାର୍ଚ ମାସରେ ରପ୍ତାନି ୩୪. ୬% ହ୍ରାସ ପାଇଛି ଯାହା ୨୦୦୮-୯ ବିଶ୍ବ ଆର୍ଥିକ ସଙ୍କଟ ଠାରୁ ଆହୁରି ସାଙ୍ଘାତିକ। କ୍ଷୁଦ୍ର ଓ ମଧ୍ୟମ ଧରଣର କର୍ପୋରେଟ୍‌, ବିଶେଷକରି ସେମାନଙ୍କର ନଗଦ ବିକ୍ରିବଟା ଉପରେ କୋଭିଡ୍-୧୯ ଖୁବ୍ କୁପ୍ରଭାବ ପକାଇଛି। କେନ୍ଦ୍ରୀୟ ବ୍ୟାଙ୍କ୍‌ର ପଦକ୍ଷେପ ଯୋଗୁଁ ବ୍ୟାଙ୍କ୍ ବ୍ୟବସ୍ଥାର ସର୍ପ୍ଲସ୍ ଲିକ୍ୟୁଡିଟି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଯଥେଷ୍ଟ ଲିକ୍ୟୁଡିଟି ସିଷ୍ଟମ୍ ବଜାୟ ରଖିବା ନିମନ୍ତେ ବ୍ୟାଙ୍କ୍‌ମାନଙ୍କର କ୍ରେଡିଟ୍ ଉତ୍ସର ସୁବିଧା କରିବା, ଅର୍ଥନୈତିକ ଚାପ ହାଲୁକା କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ନୂଆ ପଦକ୍ଷେପମାନ ଘୋଷଣା କରିବ ।