ନନ୍ଦନକାନନର ଏକମାତ୍ର ଓରାଙ୍ଗଉଟାନର ‘ବିନି’ର ମୃତ୍ୟୁ : ଶ୍ୱାସନଳୀ ସଂକ୍ରମଣ ଓ ବୟସାଧିକ୍ୟ କାରଣରୁ ମୃତ୍ୟୁ ହୋଇଥିବା ସୂଚନା

267

କନକ ବ୍ୟୁରୋ : ନନ୍ଦନକାନରେ ଏକମାତ୍ର ଓରାଙ୍ଗଉଟାନର ବିନିର ମୃତ୍ୟୁ । ଶ୍ୱାସନଳୀ ସଂକ୍ରମଣ ଓ ବୟସାଧିକ୍ୟ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କେମିତି ହେଲା ମୃତ୍ୟୁ ସେନେଇ ନନ୍ଦନକାନନ କତୃପକ୍ଷଙ୍କ ପକ୍ଷରୁ ଆସନ୍ତାକାଲି ପୋଷ୍ଟମର୍ଟମ ହେବ ବୋଲି ସୂଚନା ମିଳିଛି । ୨୦୦୩ରେ ପୁଣେ ଚିଡିଆଖାନାରୁ ଏହି ଓରାଙ୍ଗଉଟାନକୁ ନନ୍ଦନକାନନକୁ ଅଣାଯାଇଥିଲ । । ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଆଖି ବୁଜିଲା ‘ବିନି’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତି ଏହି ଓରାଙ୍ଗଓଟାନର ଗତକାଲି ପ୍ରାୟ ୯ଟା ୪୦ ମିନିଟ୍ରେ ମୃତ୍ୟୁ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣ ଓ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ବିନିର ମୃତ୍ୟୁ ହୋଇଥିବା  ଅନୁମାନ କରାଯାଉଛି । ବିନି ଗଳାରେ ଥିବା ଥଳିରେ ସଂକ୍ରମଣ ଘାଆ ଯୋଗୁ ଗତ ୧ ବର୍ଷ ଧରି ଏହାର ଚିକିତ୍ସା ଚାଲିଥିଲା । ଇଂଲଣ୍ଡ ଓ ସିଙ୍ଗାପୁରର ପ୍ରାଣୀ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଓୟୁଏଟି ପ୍ରାଣୀଚିକିତ୍ସା ବିଶେଷଜ୍ଞମାନେ ଏହାର ଚିକିତ୍ସା କରୁଥିଲେ । ଗତ ତିନିଦିନ ଧରି ଏହାର ସ୍ବାସ୍ଥ୍ୟରେ ଅବନତି ହୋଇଥିଲା । ଥଣ୍ଡା ଜ୍ବର ଓ ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା ହୋଇଥିଲା ।

ଅସୁସ୍ଥତା ଯୋଗୁ ସେ ପ୍ରାଣୀ ଉଦ୍ୟାନର ୬୦ ‘ଖ’ ଖୁଆଡ଼ରେ ଶୋଇ ରହୁଥିଲା । ଓୟୁଏଟିର ପ୍ରଫେସର ନିରଞ୍ଜନ ସାହୁ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥଙ୍କ ସମେତ ସଦସ୍ୟମାନେ ଆସି ସ୍ବାସ୍ଥ୍ୟ ଅବସ୍ଥା ନୀରିକ୍ଷଣ କରି ଦେଇଥିବା ପରାମର୍ଶ କ୍ରମେ ଚିକିତ୍ସା କାଯାଉଥିଲା । ସମଗ୍ର ଭାରତ ବର୍ଷରେ ଏହି ପ୍ରଜାତି ପ୍ରାଣୀ ଏକମାତ୍ର ‘ବିନି’ କେବଳ ନନ୍ଦନକାନନରେ ରହି ପର‌୍ୟ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା । ନନ୍ଦନକାନନକୁ ଆସିବା ବେଳେ ତା’ର ବୟସ ୨୫ ବର୍ଷ ଥିଲା । ୪୧ ବର୍ଷ ବୟସରେ ତା’ର ମୃତ୍ୟୁ ହୋଇଛି । ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ଗବେଷଣା ଅନୁସାରେ ଜଙ୍ଗଲରେ ଏମାନଙ୍କର ପରମାୟୁ ୩୫ରୁ ୪୫ ବର୍ଷ ମଧ୍ୟରେ ହୋଇଥାଏ ।