ଅଶୋକ ପାଣିଗ୍ରାହୀ । ବିଜେପିକୁ ଆଶୀର୍ବାଦ ନା ଅଭିଶାପ । ବିଜେପୁରରେ ଦଳ ଛାଡୁଛନ୍ତି ନେତା ଓ କର୍ମୀ ।

41
ବିଜେପୁର ଉପ-ନିର୍ବାଚନ ପାଇଁ ଅଶୋକ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଟିକେଟ ହାସଲ କରିବାରେ ସକ୍ଷମ ହେଲେ । ମାତ୍ର ଦଳର ଏହି ରଣନୀତି ବୁମେରାଂ ପାଲଟିଥିବା ଜଣାପଡୁଛି । ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରଠାରୁ ଦଳରେ ନେତାଙ୍କ ଭିତରେ ଅସନ୍ତୋଷ ବଢିଛି । ଜଣେ ପରେ ଜଣେ ନେତା ଓ କର୍ମୀ ଦଳ ଛାଡି ଅନ୍ୟ ଦଳ ମୁହାଁ ହେଲେଣି । ଏହିକ୍ରମରେ ଆଜି ନବୀନ ନିବାସରେ ବରପାଲି ବ୍ଲକର ବିଜେପି କର୍ମୀ ଶାସକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପୁଅ ସୁମିତଙ୍କ ନେତୃତ୍ୱରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଜେପି କର୍ମୀ ସାମିଲ ହୋଇଛନ୍ତି । କୁହାଯାଉଛି, ବରପାଲି ବ୍ଲକରେ ବିଜେପିକୁ ମଜଭୁତ କରିବାରେ ଏମାନଙ୍କ ଭୁମିକା ଥିଲା । ୨୪ ତାରିଖରେ ଭୋଟ ହେବାକୁ ଥିବାବେଳେ କର୍ମୀ ଦଳ ଛାଡିବା ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥୀତ୍ୱ ଆଉ ଗ୍ରହଣୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି ।
ପ୍ରଥମରୁ ହିଁ ଦଳ ଭିତରେ ଅଶୋକଙ୍କୁ ନେଇ ମତଭେଦ ଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବା ପରଠାରୁ ଅସନ୍ତୋଷର ନିଆଁ କୁହୁଳିଥିଲା । ସେତେବେଳର ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ବିଦ୍ରୋହର ସ୍ୱରକୁ ସାମ୍ନାକୁ ଆଣିଥିଲେ । ମାତ୍ର ଏହାକୁ ପ୍ରଶମିତ କରିବାକୁ କେନ୍ଦ୍ରମନ୍ତ୍ରୀ ଏବଂ ପଶ୍ଚିମ ଓଡିଶାର କିଛି ନେତା ଚେଷ୍ଟା କରିଥିଲେ ବି ଏହା ଥମିନଥିଲା । ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ନାରାୟଣ ସାହୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ । ବିଜେପିର କାର୍ଯ୍ୟଶୈଳୀକୁ କଡା ସମାଲୋଚନା କରି ନାରାୟଣ ସାହୁ କହିଥିଲେ, ଦୀର୍ଘ ବର୍ଷ ଧରି ଦଳରେ ରହି କାର୍ୟ୍ୟ କରିଥିଲେ ବି ଦଳ ତାଙ୍କୁ ଠିକ ଭାବେ ଚିହ୍ନି ପାରିଲାନାହିଁ । ବିଜେପିରେ ଅହଂକାର ବଢିଛି, ଦଳରେ ନୈତିକତା ନାହି, ବିଜେପିରେ ଅଣନିଃଶ୍ୱାସୀ ହୋଇପଡିଥିଲି । ଏହି କେଇପଦ କଥା ବୁଝିବା ପାଇଁ ଯଥେଷ୍ଟ ଯେ, ଦଳରେ ଅଶୋକ ପାଣିଗ୍ରାହୀଙ୍କ ଗ୍ରହଣୀୟତାକୁ ନେଇ ବରଗଡ ଜିଲ୍ଲାରେ ବଡଧରଣର ଅସନ୍ତୋଷ ରହିଛି, ଯାହା ଧୀରେ ଧୀରେ ପ୍ରତିଫଳିତ ହେଉଛି ।
bijepur
ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଆଜି ଯେଉଁ ନେତା ଓ କର୍ମୀ ଦଳ ପାଇଁ ଅଲୋଡା ହେଉଛନ୍ତି, ସେମାନେ ହିଁ ପଂଚାୟତ ନିର୍ବାଚନ ସମୟରେ ଦଳ ପାଇଁ କାମ କରିଥିଲେ ଆଉ ଦଳକୁ ବରଗଡ ଜିଲ୍ଲା ଦଖଲ କରିବାରେ ସହାୟକ ହୋଇଥିଲେ । ହଠାତ୍ ମୁଳକର୍ମୀଙ୍କୁ ଅଣଦେଖା କରି ଆଗକୁ ବଢିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା କର୍ମୀଙ୍କୁ ଅସନ୍ତୁଷ୍ଟ କରିଥିବା ଚର୍ଚ୍ଚା ହେଉଛି । ନାରାୟଣ ସାହୁ ଯେତେବେଳେ ବରଗଡ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିଲେ ତାଙ୍କ ସମୟରେ ହିଁ ଦଳ ପଂଚାୟତ ନିର୍ବାଚନରେ ୮୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ବିଜେପୁର ନିର୍ବାଚନ ମଣ୍ଡଳୀରେ । ଏପରିକି ତମାମ କର୍ମୀ ଯେଉଁମାନେ ଦଳ ପାଇଁ କାମ କରୁଥିଲେ, ସେମାନେ ହଠାତ୍ ଅବହେଳିତ ଅନୁଭବ କରୁଥିବା ଚର୍ଚ୍ଚା ହେଉଛି । ତେଣୂ ଧୀରେ ଧୀରେ ଦଳଠାରୁ କର୍ମୀ ଦୁରଉଥିବା କୁହାଯାଉଛି ।
bijepur (16)
ଖାଲି ନାରାୟଣ ସାହୁ ନୁହଁନ୍ତି, ବରଂ ଅଶୋକ ପାଣିଗ୍ରାହୀଙ୍କୁ ବିରୋଧର ତାଲିକା ଲମ୍ବି ଲମ୍ବି ଯାଉଛି । ବରପାଲିର ମଣ୍ଡଳ ସଭାପତି ଅଜିତ ଦାସ ପଦ୍ମ ପୋଖରୀ ଛାଡି ବିଜେଡି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପୁର ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ । ତେବେ ଯେତେବେଳେ ବିଜେପୁର ଜିତିବା ପାଇଁ ବିଜେପି ସ୍ୱପ୍ନ ଦେଖୁଛି ସେହି ସମୟରେ ଦଳର କିଛି ଛାମୁଆ ନେତା ଅଶୋକ ପ୍ରାଣିଗ୍ରାହିଙ୍କୁ ବିରୋଧ କରି ଦଳ ଛାଡିବା ବିଜେଡିକୁ ସୁହାଇଛି ।
bijepur
ଅଶୋକଙ୍କୁ ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ଦୁର୍ଗ ଭୁଷୁଡିବା ଆରମ୍ଭ କରିଛି । ତୃଣମୁଳ ସ୍ତରର କର୍ମୀ ଅଶୋକଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଯାହାଦ୍ୱାରା ବିଜେପିର ଭୋଟବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପରିକି ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଚ୍ୟାଲେଞ୍ଜ କରି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଛତର ରଣହୁଙ୍କାର ଦେଇଛନ୍ତି । ଅଶୋକଙ୍କୁ ଅନ୍ୟ ଦଳରୁ ପ୍ରାର୍ଥୀ କରି ଦଳ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଛି । ତେଣୁ ପ୍ରମୋଦ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଶୋକଙ୍କ ବିରୋଧରେ ଲଢିବାକୁ ସ୍ଥିର କରିଛନ୍ତି । ଯାହା ଅଶୋକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଥିବାରୁ ବିଜେପି ପାଇଁ ବିଜେପୁରରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଅଶୋକଙ୍କୁ ଦଳରେ ସାମିଲ କରି ଦଳ ଫାଇଦା ପାଇଛି ନା କ୍ଷତି ସହିଛି ତାହା ନିର୍ବାଚନରେ ପରେ ଜଣାପଡିବ । କିନ୍ତୁ ଗୋଟିଏ କଥା ପ୍ରମାଣିତ କରୁଛି ଅଶୋକଙ୍କୁ ସାମିଲ କରିବା ପରେ ବିଜେପିରୁ ଯେଉଁଭଳି ଭାବେ ନେତା ଛତ୍ରଭଙ୍ଗ ଦେଉଛନ୍ତି ତାହା ଏବେ ଦଳର ସଂଗଠନକୁ ଦୋହଲାଇ ଦେଇଛି ।
bijepur (6)
୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଶୋକ ପାଇଥିବା ୧୮ ହଜାର ଭୋଟ୍ ଓ ପଂଚାୟତ ନିର୍ବାଚନର ଭୋଟ୍ ଗଣିତକୁ ଆଖି ଆଗରେ ରଖି ବିଜେପୁର ଦଖଲ କରିବାକୁ ବିଜେପି ଚଲାଇଥିବା ରଣନୀତିରେ ଗୋଟିଏ ପରେ ଗୋଟିଏ ବାଧା ଆସିବାରେ ଲାଗିଛି । ତେବେ ଏହି ସମ୍ୟା କେବଳ ବିଜେପି ଦଳରେ ନାହିଁ, ବରଂ ଶାସକ ବିଜେପିରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେତେବେଳେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ନବୀନ ଘୋଷଣା କରିଥିଲେ । ମାତ୍ର ପରେ ବିଜେଡି ସୁପ୍ରିମୋଙ୍କ ହସ୍ତକ୍ଷେପ ପରେ ସ୍ଥିତିକୁ ସମ୍ଭାଳି ନେଇଥିଲା ବିଜେଡି । ହେଲେ, ବିଜେପି କିନ୍ତୁ ନିଜ ଘର ସଜାଡିବାରେ ଟିକେ ପଛରେ ପଡିଯାଉଥିବା ଚର୍ଚ୍ଚା ହେଉଛି । ଆଉ ଯଦି ଏଭଳି ସ୍ଥିତି ଲାଗିରହେ, ତେବେ ଉପ-ନିର୍ବାଚନରେ ବିଜେପିର ଭୋଟବ୍ୟାଙ୍କ ପ୍ରଭାବିତ ହୋଇପାରେ ।