ସ୍କୁଲ ବନ୍ଦ ସହ ସ୍ଥଗିତ ହେଲା ପରୀକ୍ଷା : ପ୍ରଥମରୁ ନବମ ଓ ଏକାଦଶ ପରୀକ୍ଷା ବନ୍ଦ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

2,027

କନକ ବ୍ୟୁରୋ : କରୋନା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ପଦକ୍ଷେପ । କରୋନା ପାଇଁ ସ୍ଥଗିତ ରହିଲା ପରୀକ୍ଷା । ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।  ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ କ୍ରମେ ପ୍ରଥମରୁ ନବମ ଓ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା  ସ୍ଥଗିତ ରଖାଯାଇଛି । ହେଲେ ଦ୍ୱାଦଶ ପରୀକ୍ଷା କିନ୍ତୁ ନିର୍ଦ୍ଧାରିତ ସମୟରେ ଚାଲିବ ବୋଲି ସୂଚନା ଦିଆଯାଇଛି । ଶିକ୍ଷକମାନେ ସ୍କୁଲକୁ ନଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲକୁ ନଆସିଲେ ବି ଶିକ୍ଷକମାନେ ଆଲର୍ଟ ରହିବେ । ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତିରେ ଚାଲିବ ବୋଲି କୁହାଯାଇଛି ।

କରୋନା ମୁକାବିଲା ପାଇଁ ବର୍ତ୍ତମାନ ସ୍କୁଲ କଲେଜ, ସପିଂ ମଲ୍ ବନ୍ଦ ହେବା ସହ ପଞ୍ଚାୟତ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଧର୍ମାନୁଷ୍ଠାନ ଗୁଡିକରେ ଆୟୋଜନ ହେଉଥିବା ବିବାହ ଭୋଜି, ଧାର୍ମିକ ଉତ୍ସବ ଯେଉଁଥିରେ ଶହ ଶହ ଲୋକଙ୍କ ଏକାଠି ମେଳି ହେବାର ସଂଭାବନା ରହିଛି, ତାହା ଉପରେ ରୋକ୍ ଲଗା ଯାଇଛି । କରୋନା ଭୂତାଣୁ ଲୋକଙ୍କ ଠାରୁ ଲୋକଙ୍କୁ ଅଧିକ ବେଗରେ ସଂକ୍ରମଣ ହେଉଥିବାରୁ ଏପରି କଟକଣା ଜାରି କରିଛନ୍ତି ସରକାର । କୌଣସି ଉପଚାର ଓ ଔଷଧ ନଥିବାରୁ କେବଳ ସଚେତନତା ହିଁ ଆମକୁ ରକ୍ଷା କରିପାରିବ ।

କରୋନା ଭୂତାଣୁ ସଂକ୍ରମଣରୁ କେମିତି ନିଜ ହାତକୁ ସଫା ରଖିବେ ।
ପ୍ରଥମେ ଦୁଇ ହାତକୁ ଭଲଭାବେ ରନିଂ ୱାଟର ବା ଚଳନ୍ତା ପାଣିରେ ଧୁଅନ୍ତୁ । ଅର୍ଥାତ ଟ୍ୟାପ ପାଣିରେ ସଫା କରନ୍ତୁ । ପ୍ରଚୁର ମାତ୍ରାରେ ସାବୁନ ନେଇ ଦୁଇ ହାତରେ ଭଲଭାବେ ବୋଳି ଦିଅନ୍ତୁ । ପାପୁଲିରେ ପାପୁଲି ମିଶାଇ ଭଲଭାବେ ରଗଡି ଦିଅନ୍ତୁ । ବାମ ପାପୁଲିର ଉପର ପଟ ଓ ଆଙ୍ଗୁଠି ସନ୍ଧିକୁ ଡାହାଣ ହାତର ପାପୁଲି ଓ ଆଙ୍ଗୁଠି ସାହାଯ୍ୟରେ ରଗଡି ସଫା କରନ୍ତୁ । ଏବେ ଡାହାଣ ପାପୁଲିରେ ସମାନ କୌଶଳ ଆପଣାନ୍ତୁ । ପାପୁଲି ସହ ପାପୁଲି ଓ ଆଙ୍ଗୁଠି ସହ ଆଙ୍ଗୁଠି ମିଶାଇ ରଗଡନ୍ତୁ । ଦୁଇ ପାପୁଲିର ଆଙ୍ଗୁଠିକୁ ଅଧା ମୁଠା କରି ପରସ୍ପର ବିରୋଧରେ ରଗଡନ୍ତୁ । ଦୁଇ ହାତ ବୁଢା ଆଙ୍ଗୁଠିକୁ ଗୋଟିକ ପରେ ଗୋଟିଏ ରଗଡନ୍ତୁ । ଆଙ୍ଗୁଠିର ଅଗ୍ରଭାଗକୁ ପାପୁଲି ଉପରେ ରଖା ଭଲଭାବେ ରଗଡନ୍ତୁ । ଏବେ ପୁଣିଥରେ ଚଳନ୍ତା ପାଣିରେ ଦୁଇ ହାତର ସାବୁନକୁ ଭଲଭାବେ ସଫା କରିନିଅନ୍ତୁ । ଶୁଖିଲା ତଉଲିଆରେ ଦୁଇ ହାତକୁ ପୋଛି ସଫା କରନ୍ତୁ । ଏବଂ ସେହି ତଉଲିଆରେ ପାଣି ଟ୍ୟାପକୁ ବନ୍ଦ କରନ୍ତୁ ।