ବେଳାଭୂମିରେ ଖୋଲାଖୋଲି ମଦ୍ୟପାନ : ଅସୁରକ୍ଷିତ ପର୍ଯ୍ୟଟକ

377
କନକ ବ୍ୟୁରୋ : ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ର ପୁରୀର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଏହାର ସ୍ବର୍ଣ୍ଣିମ ବେଳାଭୂମି। ସମୁଦ୍ର କୂଳରେ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ଛୁଟି ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଲକ୍ଷେ ବି ଡେଇଁଯାଏ। ଏଭଳି ପରିସ୍ଥିତିରେ ବେଳାମାର୍ଗ ଓ ବେଳାଭୂମିରେ ଖୋଲା ମଦ୍ୟପାନ ପୁରୀ ବେଳାଭୂମିର ଶାନ୍ତ ପରିବେଶକୁ କଳୁଷିତ କରିବାରେ ଲାଗିଛି।

 

ଏହାଦ୍ବାରା ପର୍ଯ୍ୟଟକମାନେ ବେଳାଭୂମି ପ୍ରତି ବିମୁଖ ହେବା ସହ ଏଠାକୁ ଆସିବାକୁ ଅସୁରକ୍ଷିତ ମଣିଲେଣି । ଦିନକୁ ଦିନ ଅସାମାଜିକ କାର୍ଯ୍ୟ ବଢ଼ି ଚାଲିଥିବାରୁ ବିଶେଷ କରି ସପରିବାର ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଆଉ ପସନ୍ଦ କରୁନାହାନ୍ତି। ଅବକାରୀ ବିଭାଗ କି ପୁଲିସ, କେହି ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଏହି କାର୍ଯ୍ୟ ବଢ଼ିଚାଲିଛି । ଆଗକୁ ଗାନ୍ଧୀ ଜୟନ୍ତୀ । ଗାନ୍ଧୀଙ୍କ ଆହ୍ବାନ ଥିଲା ନିଶାମୁକ୍ତ ସମାଜ ଗଠନ । ଏହି ଦିନ ଠାରୁ ବହୁ ସଂଗଠନ ପୁରୀକୁ ମଦମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ଶପଥ ନେଇଛନ୍ତି । ବେଳାମାର୍ଗ ସହରର ପ୍ରମୁଖ ସ୍ଥାନ ହୋଇଥିବାରୁ ନିଶାମୁକ୍ତ ସହର ଗଠନ ପାଇଁ ଶପଥ ନେଇଥିବା ସଂଗଠନ, ରାଜନୈତିକ ଦଳମାନେ ଏହି ସ୍ଥାନରୁ ନିଶାମୁକ୍ତ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବେଳାମାର୍ଗରେ ଯେଉଁଠି କିଛି ବର୍ଷ ତଳେ ଗୋଟିଏ ଦୁଇଟି ମଦ ଦୋକାନ ଥିଲା, ସେଠି ‌ଏବେ ୫ରୁ ଅଧିକ ମଦ ଦୋକାନ ଠିଆ ହୋଇଛି । କିଏ ଛୋଟିଆ କ୍ୟାବିନ୍ କରି ବେପାର କରୁଛି ତ’ କିଏ ବଡ଼ ଦୋକାନ ନେଇ ବେପାର କରୁଛି ।

ଦୈନିକ ଏଠାରେ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି । ବେଳାମାର୍ଗରେ ଥିବା ସବୁ ମଦ ଦୋକାନ ଠିପି ବନ୍ଦ ହୋଇଥିବାବେଳେ ମଦୁଆ, ଅସାମାଜିକ ବ୍ୟକ୍ତିମାନେ ଖୋଲାଖୋଲି ଦୋକାନ ଆଗରେ ମଦ୍ୟପାନ କରୁଛନ୍ତି । ଏ ଦିଗରେ ପୁଲିସ, ଅବକାରୀ ବିଭାଗର ସ୍ଥାଣୁତା, ଏଭଳି କାର୍ଯ୍ୟକୁ ଆହୁରି ପ୍ରୋତ୍ସାହନ ଦେଉଛି । ପରିସ୍ଥିତି ଏପରି ହୋଇଛି ଯେ ମଦୁଆମାନେ ଦୋକାନ ଆଗରେ ଚେୟାର ଟେବୁଲ ପକାଇ ମଦ୍ୟପାନ କରୁଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଖୋଲାଖୋଲି ବୋତଲ ଖୋଲି ଏମାନେ ମଦ୍ୟପାନ କରୁଛନ୍ତି । ଏହାକୁ ଦେଖି କିଛି ପାନ ଦୋକାନୀ, ହୋଟେଲ ବି ମଦ ବେପାର ଆରମ୍ଭ କରି ଦେଇଛନ୍ତି ।

କିଛି ମଦ ଦୋକାନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ଏଠାରେ ବେପାର କରୁଛନ୍ତି । ବେଳାମାର୍ଗରେ ଚେୟାର ବେପାର କରୁଥିବା ଲୋକେ ବି ମଦୁଆମାନଙ୍କୁ ମଦ୍ୟପାନ ପାଇଁ ସୁଯୋଗ ହେଉଛନ୍ତି । ଚେୟାର ବେପାରୀ ଛତାଟାଣି ଏହି ମଦୁଆମାନଙ୍କ ଠାରୁ ବେଶ୍ ଟଙ୍କା ବି ରୋଜଗାର କରୁଛନ୍ତି । ଯାହାର କୁପ୍ରଭାବ ପର୍ଯ୍ୟଟକଙ୍କ ଉପରେ ପଡ଼ୁଛି। ପରିଣାମ ସ୍ବରୂପ ବେଳାମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ ବଢ଼ିଚାଲିଛି। ପର୍ଯ୍ୟଟକମାନଙ୍କୁ ‌ନାଲିଆଖି ଦେଖାଇବା ସହ ଲୁଟପାଟ କରୁଛନ୍ତି । ଅନେକ ସମୟରେ ପର୍ଯ୍ୟଟକମାନଙ୍କୁ ମାଡ଼ ମରାଯିବାର ବି ନଜିର ରହିଛି । ଯେଉଁ ରାଜ୍ୟ ସରକାର ବିଶ୍ବ ଐତିହ୍ୟ ସହରର ସ୍ବପ୍ନ ଦେଖୁଛନ୍ତି, ସେ ଭଳି ସ୍ଥିତିରେ ବେଳାଭୂମି ଓ ବେଳାମାର୍ଗରେ ଏଭଳି କାର୍ଯ୍ୟକଳାପ ରାଜ୍ୟ ସରକାରଙ୍କ ମହତ ଉଦ୍ଦେଶ୍ୟ ପ୍ରତି ପ୍ରତିବନ୍ଧକ ସୃଷ୍ଟି କରୁଛି ।

ଦୈନିକ ଏହି ବାଟ ଦେଇ ପିସିଆର୍‌ ବୁଲୁଛି । ତଥାପି ଏଭଳି ମଦ୍ୟପାନ ପ୍ରତି କାହାରି ଦୃଷ୍ଟି ନପଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ସେପଟେ ଦୈନିକ କେଉଁଠି ନା କେଉଁଠି ଚୋରା ମଦ ବେପାରୀଙ୍କୁ ଧରି ବାହାବା ନେଉଥିବା ଅବକାରୀ ବିଭାଗର ଏଥି ପ୍ରତି ନଜର ନପଡ଼ିବା ସନ୍ଦେହ ସୃଷ୍ଟି କରିଛି ।