୩ ବର୍ଷରେ ତିଆରି ହୋଇଛି ମାତ୍ର ୧୬ ପ୍ରତିଶତ ପକ୍କା ଘର, ଅଧାରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ପୂରଣ ହୋଇପାରିବ କି ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ?

165

କନକ ବ୍ୟୁରୋ : ମୋଦି ସରକାରଙ୍କ ଶାସନକାଳକୁ ୪ ବର୍ଷ ପୁରି ସାରିଛି । ହେଲେ ମୋଦି ସରକାରଙ୍କ ଶାସନ କାଳ ଭିତରେ ସେ ଦେଇଥିବା ଅନେକ ପ୍ରତିଶ୍ରୁତି ପୁରଣ ହୋଇପାରିନିି । ଶାସନକୁ ଆସିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆରମ୍ଭ କରିଥିଲେ । ତେବେ କାର୍ଯ୍ୟକାଳ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ମଞ୍ଜୁର ହୋଇଥିବା ପକ୍କା ଘର ମଧ୍ୟରୁ ମାତ୍ର ୧୬ ପ୍ରତିଶତ ତିଆରି ହୋଇପାରିଛି । ତେବେ ଏହି ଯୋଜନା ପାଇଁ ମୋଦି ଦେଇଥିବା ପ୍ରତିଶ୍ରୁତି ଉପରେ ଏବେ ପ୍ରଶ୍ନ ଉଠୁଛି । ପ୍ରଶ୍ନ ଉଠୁଛି ଆଉ ମାତ୍ର ୬ ମାସ ଭିତରେ ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିବେ କି ? ନା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ସହରର ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର । ଯୋଜନା ଅନୁସାରେ ୨୦୨୨ ସୁଦ୍ଧା ସହରୀ ଗରିବଙ୍କ ପାଇଁ ୧କୋଟି ପକ୍କା ଘର ଯୋଗାଇ ଦେବେ ବୋଲି କହିଥିିଲେ ସରକାର । ବିଗତ ୩ ବର୍ଷରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଂଚଳ ପାଇଁ ୫୪ ଲକ୍ଷ ପକ୍କା ଘର ତିଆରି କରିବା ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ ମୋଦି ସରକାର । କିନ୍ତୁ ଏବେ ପର୍ଯ୍ୟନ୍ତ ପାଖାପାଖି ୯ ଲକ୍ଷ ଘର ହିଁ ତିଆରି ହୋଇପାରିଛି ।

PMAY  ୱେବସାଇଟ୍ ଅନୁସାରେ ମଧ୍ୟପ୍ରଦେଶ ଓ ଗୁଜରାଟରେ ଏହି ଯୋଜନା ଲାଗୁ କରିବା ମାମଲାରେ ପ୍ରଥମରେ ଅଛନ୍ତି । ମଧ୍ୟପ୍ରଦେଶ ପାଖାପାଖି ୧,୩୩୬୬୩ ପକ୍କା ଘର ତିଆରି ହୋଇଛି । ଏହାପରେ ଗୁଜରାଟରେ ୧,୨୦୭୬୬ ପକ୍କା ଘର ଓ ମହାରାଷ୍ଟ୍ରରେ ୯୩,୩୭୦ ପକ୍କା ଘର ତିଆରି ହୋଇଛି ।

ସୂଚନାଯୋଗ୍ୟ ୨୫ ଜୁନ୍ ୨୦୧୫ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନା ଅନୁସାରେ ସରକାର ଲୋକଙ୍କୁ ଘର କିଣିବା ପାଇଁ କିମ୍ବା ଭଙ୍ଗା ଦରଦରା ଘରର ସ୍ଥିତି ସୁଧାରିବା ପାଇଁ କିମ୍ବା ପୁରୁଣା ଘରେ ନୂଆ ବଖରା ଯୋଡ଼ିବା ପାଇଁ ସହଯୋଗ କରାଯାଏ ।