ରାଜଧାନୀରେ ଗଡ଼ିବ ସ୍ମାର୍ଟ ଅଟୋ : ଅନଲାଇ ରେ ବୁକିଂ ହେବାସହ ଚାଳକଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ

446

କନକ ବ୍ୟୁରୋ :  ସ୍ମାର୍ଟ ହେବେ ରାଜଧାନୀର ଅଟୋ ଚାଳକ। ସ୍ବତନ୍ତ୍ର ପରିଚୟପତ୍ର ସହ ଡ୍ରେସକୋଡ୍‌ ବାଧ୍ୟତାମୂଳକ ହେବ। ସବୁ ଅଟୋ ଚାଳକଙ୍କ ପାଇଁ ହେବ ବୀମା । ପ୍ରଥମଥର ପଇଁ ୱେବ୍‌ସାଇଟ୍‌ ଓ ଆପ୍‌ ଜରିଆରେ ବୁକ୍‌ କରି ହେବ ଅଟୋ । ଏଭଳି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ। ଆସନ୍ତା ୨ ତାରିଖରେ ଏହାର ଶୁଭାରମ୍ଭ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି  । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଅଟୋ ଚାଳକମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପରେ ଭୁବନେଶ୍ବରକୁ ଆସୁଥିବା ରାଜ୍ୟର ସମସ୍ତ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଯୋଜନା ହୋଇଛି ।

ତେବେ ପୂର୍ବରୁ ଏଭଳି ବ୍ୟବସ୍ଥା ହୋଇଥିଲା। ସମସ୍ତ ଅଟୋ ଚାଳକଙ୍କ ପାଇଁ ଡ୍ରେସ୍‌ କୋଡ୍‌ ସହ ପରିଚୟପତ୍ର ବ୍ୟବସ୍ଥା ହୋଇଥିଲା । କିଛି ଦିନ ‌ଅଟୋ ଚାଳକ ପରିଚୟ ପତ୍ର ବ୍ୟବହାର କରୁଥିଲେ । କିନ୍ତୁ ପରେ ଏହି ସବୁ ଯୋଜନା ଫୁସ୍‌କି ଯାଇଥିଲା। ସେହିଭଳି ପିଙ୍କ୍‌ ଅଟୋ ବ୍ୟବସ୍ଥା ମଧ୍ୟ ଫେଲ୍‌ ମାରିଥିଲା । ନିକଟ ଅତୀତରେ ସ୍ବତନ୍ତ୍ର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଯୋଗ ଦେବା ପରେ ଅଟୋ ବେ’ ଚିହ୍ନିତ ହୋଇଥିଲା । ଏଠାରେ କେବଳ ଅଟୋଗୁଡ଼ିକ ରହିବ ବୋଲି ନିର୍ଦ୍ଦେଶ ହୋଇଥିଲା । ହେଲେ ତାହା ଫାଙ୍କା ପଡ଼ିଥିବା ବେଳେ ରାସ୍ତାରେ ଅଟୋ ଛିଡ଼ା ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି ।

 

ଏବେ ପୁଣି ଏହି ସ୍ବତନ୍ତ୍ର ଯୋଜନା ହୋଇଛି । ଅଟୋଗୁଡ଼ିକ ପାଇଁ ସ୍ବତନ୍ତ୍ର ଆପ୍‌ ପ୍ରସ୍ତୁତ ହେବ । ମୋ ବସ୍‌ ଓ ସାଇକେଲ୍‌ ଭଳି ଏହି ଅଟୋକୁ ବୁକ୍‌ କରି ହେବ । ଏଥିପାଇଁ ଅନ୍‌ଲାଇନ୍‌ରେ ଅଗ୍ରୀମ ଦେୟ ଦେବାକୁ ପଡ଼ିବ । ଏହି ବ୍ୟବସ୍ଥା ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ କେତେଦୂର କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।