କଲବଲ କରୁଛି ଅଭାବି ବିକ୍ରି, ପିଆଜ ଚାଷୀଙ୍କ ଆଖିରେ ଲୁହ : କଳାହାଣ୍ଡି ଜିଲ୍ଲାରେ ମାତ୍ର ୫ଟଙ୍କାରେ ବିକ୍ରି ହେଉଛି କିଲେ ପିଆଜ

71

କନକ ବ୍ୟୁରୋ : ଘରେ ରଖିବାକୁ ଜାଗା ନାହିଁ, ସଂରକ୍ଷଣର ସୁବିଧା କିମ୍ବା ବଜାର ବ୍ୟବସ୍ଥା ନାହିଁ । ଆଉ ଏହି ନାହିଁ-ନାହିଁ ଭିତରେ ଅଭାବି ବିକ୍ରିର ସମ୍ମୁଖିନ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ପିଆଜ ଚାଷୀ । ମାତ୍ର ୫ ଟଙ୍କା ଦରରେ ବିକ୍ରି କରିଦେଉଛନ୍ତି ପିଆଜ । ଆଉ ଚାଷୀଙ୍କ ଏହି ଅସୁବିଧାରୁ ଫାଇଦା ନେଉଛନ୍ତି ପଡ଼ୋଶୀ ଛତିଶଗଡ଼ର ମୁନାଫାଖୋର ବେପାରୀ ।

ବଜାରରୁ ପିଆଜ ଉଭାନ୍ ହୋଇଗଲେ ଏବଂ ଦର ଆକାଶ ଛୁଆଁ ହେଲେ ଏହି ପିଆଜ ପାଇଁ ରାସ୍ତାରେ ନିଆଁ ଜଳେ । ହେଲେ ପିଆଜ ବିକ୍ରି ନହେବାରୁ ବିଲ ଭିତରେ ହିଁ ପଡ଼ି ପଡ଼ି ନଷ୍ଟ ହେବାକୁ ବସୁଛି ପିଆଜ । ଅଭାବି ବିକ୍ରି ଏବଂ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ଏବେ ଚିନ୍ତାରେ ପିଆଜ ଚାଷୀ ।


ଅଭିଯୋଗ ଅନୁସାରେ ଜିଲ୍ଲାରେ ଅଭାବି ବିକ୍ରି ଯୋଗୁଁ ଚାଷୀମାନେ ପଡ଼ୋଶୀ ଛତିଶଗଡ଼ର ବେପାରୀଙ୍କ ହାତରେ, ଶାଗ-ମାଛ ଦରରେ ଟେକି ଦେଛନ୍ତି ପିଆଜ । ପିଆଜ କିଲୋ ପ୍ରତି ୪ରୁ ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ବସ୍ତା, ମାତ୍ର ୩ଶହରୁ ୪ଶହ ଟଙ୍କାରେ ବିକି ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ କୃଷି ନିର୍ଦ୍ଦେଶକ କହୁଛନ୍ତି- ଚାଷୀଙ୍କ ପିଆଜ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।

ଗୋଲାମୁଣ୍ଡା ବ୍ଲକ୍ ସମେତ ଧର୍ମଗଡ଼ ଏବଂ କୋକସରା ବ୍ଲକରେ ଏଥର ବିପୁଳ ପରିମାଣରେ ପିଆଜ ଚାଷ ହୋଇଛି । ହେଲେ ସେବୁଠି ସେଇ ଏକା ସମସ୍ୟା । ଯେଉଁଥି ପାଇଁ ଦଲାଲ୍ ମାଲେମାଲ୍ ହେଉଥିବା ବେଳେ ଚାଷୀଙ୍କ ହାତ ଖାଲି ।