ପିଆଜ ଚାଷ ଗାଁରେ ପିଆଜ ଦର ଆକାଶଛୁଆଁ : ଚାଷୀ ବିକିଥିଲା ୨ଟଙ୍କାରେ ଏବେ କିଣୁଛି ୮୦ଟଙ୍କାରେ, ଧର୍ମଗଡରେ ପିଆଜ କିଲୋକୁ ୮୦ ଟଙ୍କା

813

କନକ ବ୍ୟୁରୋ : ଯେଉଁଠି ଦିନେ ପିଆଜ ଅଭାବୀ ବିକ୍ରି ହେଉଥିଲା ସେଠି ଏବେ ପିଆଜ ଅମୂଲେମୂଲ । ଦିନେ ଟଙ୍କା କେଇଟାରେ ବିକ୍ରି ହେଉଥିଲା କେଜି କେଜି ପିଆଜ, ସେଠି ଏବେ କିଲେ ପିଆଜର ଦର ୮୦ ଟଙ୍କା ଛୁଇଁଲାଣି । ଏହା ହେଉଛି କଳାହାଣ୍ଡି ଜିଲ୍ଲାର କାହାଣୀ । ପିଆଜ ଦର ସହରାଂଚଳରେ ୫୦ରୁ ୬୦ ଟଙ୍କା ଥିବା ବେଳେ ଗ୍ରାମାଂଚଳରେ ଏହା ନିୟନ୍ତ୍ରଣ ହରାଇଛି । ମନ ଇଚ୍ଛା ଦରରେ ପିଆଜ ବିକ୍ରି କରୁଛନ୍ତି ବେପାରୀ ।

ପିଆଜ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଥିବା ଧର୍ମଗଡରେ ଏବେ କିଲୋ ପିଆଜକୁ ୮୦ ଟଙ୍କାରେ ବିକ୍ରି ହେଉଛି । ଧର୍ମଗଡ ଉପଖଣ୍ଡର ଗୋଲାମୁଣ୍ଡା, ଜୁନାଗଡ, କଲମପୁର, କୋକସରା ଓ ଜୟପାଟଣା ବ୍ଳକରେ ଭଲ ପିଆଜ ହୋଇଥାଏ । ପିଆଜ ଚାଷ ପାଇ ୩ରୁ ୪ ମାସ ସମୟ ଲାଗିଥାଏ । ତେବେ ପିଆଜ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷୀ ପିଆଜ କିଲୋପ୍ରତି ୨ ରୁ ୫ଟଙ୍କାରେ ବିକ୍ରି କରି ଦେଇଥିଲା । ଏପରିକି ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବେପାରୀ ଶସ୍ତାରେ ପିଆଜ କିଣିଥିଲେ ।

ପିଆଜ ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷୀ ଆଭାବୀ ବିକ୍ରିର ସାମ୍ନା କରିଥିଲା । ଏବେ ଯେତେବେଳେ ସାରା ରାଜ୍ୟରେ ପିଆଜ ସଙ୍କଟ ମାଡି ବସିଛି, ସେତେବେଳେ ଚାଷୀ ୮୦ ଟଙ୍କାରେ ପିଆଜ କିଣୁଛି । ଜିଲ୍ଲାରେ ବର୍ଷକୁ ପ୍ରାୟ ୨୪୬୦ ହେକ୍ଟରରୁ ଅଧିକ ଜମିରେ ପିଆଜ ଚାଷ ହୋଇଥାଏ ଏବଂ ବର୍ଷକୁ ପ୍ରାୟ ୩୮ ଶହ ଟନ୍ ପିଆଜ ଉତ୍ପାଦନ ହୋଇଥାଏ । କିନ୍ତୁ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ପ୍ରଥମେ ଅଭାବୀ ବିକ୍ରି ଏବଂ ପରେ ଚଢାଦରରେ କିଣୁଛନ୍ତି ଖାଉଟି ।