ବାହା ହେବାକୁ ମନା କ‌ଲେ ବୋଲି… ଘରେ ନିଆଁ ଲଗାଇଦେଲା ଏକତରଫା ଭଲ ପାଉଥିବା ପ୍ରେମପାଗଳ

Advertisment
ବାହା ହେବାକୁ ମନା କ‌ଲେ ବୋଲି… ଘରେ ନିଆଁ ଲଗାଇଦେଲା ଏକତରଫା ଭଲ ପାଉଥିବା ପ୍ରେମପାଗଳ

କନକ ବ୍ୟୁରୋ : ବାହା ହେବାକୁ ମନା କଲେ ବୋଲି ଏକତରଫା ଭଲ ପାଉଥିବା ଜଣେ ପ୍ରେମପାଗଳ ଯୁବକ ଜଣେ ବିଧବା ମହିଳାଙ୍କ ଘରେ ନିଆଁ ଲଗାଇ ଦେଲା। ପୂର୍ବରୁ ସିନା କେବଳ ଧମକ ଦେଉଥିଲା, ଏଥର କିନ୍ତୁ ସବୁ ସୀମା ସରହଦ ଟପିଗଲା । ‘ବାହା ହବୁନି ତ, ବଡ଼ଦାଣ୍ଡକୁ ଯାଆ’ ବୋଲି ଧମକ ଦେଇ ତାଙ୍କ ଘରେ ନିଆଁ ଲଗାଇ ଦେଲା । ତେଣୁ ଲୋକଲଜ୍ଜା ଭୟରେ ଚୁପ୍ ରହୁଥିବା ମହିଳା ଏଥର ପୁଲିସର ଦ୍ବାରସ୍ଥ ହେଲେ ଓ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲା ଧଉଳି ଉତ୍ତରାଫାଣ୍ଡି ଅଞ୍ଚଳର ବଳିଆ ଦାସ । ଆସନ୍ତାକାଲି ବଳିଆକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ଜଣାଇଛନ୍ତି ।

ସୂଚନା ଅନୁସାରେ ଗତ କିଛି ଦିନ ତଳେ ଉକ୍ତ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଛି । ତାଙ୍କର ଛୋଟ ଛୋଟ ଦୁଇଟି ପୁଅ ଅଛନ୍ତି। କିନ୍ତୁ ଅଭିଯୁକ୍ତ ବଳିଆ ଏକତରଫା ଭାବେ ମହିଳାଙ୍କୁ ଭଲ ପାଇ ବସିଲା। ପ୍ରେମ ନିବେଦନ କରି ବିଫଳ ହେବା ପରେ ବାରମ୍ବାର ଧମକଚମକ ଦେଲା। ପ୍ରଥମେ ମହିଳା ଜଣକ ନିରବ ରହିବାକୁ ଉଚିତ ମଣିଥିଲେ। ଲୋକଲଜ୍ଜାକୁ ଡରି ସେ କାହାକୁ କିଛି କହିନଥିଲେ। ମାତ୍ର ମହିଳାଙ୍କ ନିରବ ଅଭିଯୁକ୍ତ ବଳିଆକୁ ଅଧିକ ଉତ୍ସାହିତ କରିଥିଲା। ତେଣୁ ଆଜି ସେ ମହିଳାଙ୍କ ଘରକୁ ଯାଇ ହଙ୍ଗାମା କରିଥିଲା।

ତାଙ୍କୁ ବିବାହ କରିବ ବୋଲି କହିଥିଲା ଓ ଏଥିରେ ରାଜି ପାଇଁ ତାଙ୍କୁ ବାଧ୍ୟ କରିଥିଲା। ମହିଳା ଜଣକ ପ୍ରତ୍ୟାଖ୍ୟାନ କରିବା ସହ ତାକୁ ଗାଳି କରି ଘରୁ ବାହାରି ଯିବା ପାଇଁ କହିଥିଲେ। ରାଗରେ ବଳିଆ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିମନ୍ଦ କରି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲା। ମହିଳାଙ୍କ ପାଟି ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଓ ଅଭିଯୁକ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe