ସିଲଭର ସିଟିରେ ପୁଣି ମାତିଲା ସାଇକୋ କିଲର : ଯୋବ୍ରାରେ ଝରକା ଭିତରେ ହାତ ପୁରାଇ ମହିଳାଙ୍କ ବେକ କାଟିଥିବା ଅଭିଯୋଗ

430

କନକ ବ୍ୟୁରୋ : ସିଲଭର ସିଟରେ କମୁନି ସାଇକୋ କିଲର ଆତଙ୍କ । ଦିନ ପରେ ଦିନ ଗଡିଚାଲିଛି ହେଲେ ହତ୍ୟାକାରୀର ଟେର ପାଉନି ପୁଲିସ୍ । ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଚାଲିଛି ଅଜଣା ଦୁର୍ବୃତ୍ତ । ପୋଲିସର ନାଇଟ ପାଟ୍ରୋଲିଂ ଭିତରେ ତଥା ବିଧାୟକଙ୍କ ସହର ବୁଲା ଭିତରେ ବି ଥମିନି ସାଇକୋ କିଲର ।  ପୁଲିସ୍ କମିଶନର କହିଛନ୍ତି-ସୁରାଗ୍ ମିଳିଛି, ଖୁବ୍ ଶୀଘ୍ର ଧରାପଡ଼ିବ ଅଭିଯୁକ୍ତ । ଅଭିଯୁକ୍ତ ସନ୍ଧାନ ଭିତରେ ପୁଣି ଜଣେ ମହିଳାଙ୍କୁ ଟାର୍ଗେଟ କରିଛି ସାଇକୋ କିଲର । ଯୋବ୍ରାରେ ଝରକା ଭିତରେ ହାତ ପୁରାଇ ଜଣେ ମହିଳାଙ୍କ ବେକ କାଟି ଦେଇଛି ସାଇକୋ କିଲର । ଆହତ ଅବସ୍ଥାରେ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ନାମ ସନ୍ଧ୍ୟାରାଣୀ ବୋଲି ଜଣାପଡିଛି ।

ଅନ୍ୟ ହତ୍ୟାକାଣ୍ଡ ପରି ସମାନ ଢ଼ଙ୍ଗରେ ସନ୍ଧ୍ୟାରାଣୀଙ୍କ ତଂଟି କଟାଯାଇଛି । ଗଲା ପାଞ୍ଚ ଦିନ ହେବ ସହରରେ ରହସ୍ୟମୟ ଷ୍ଟୋନମ୍ୟାନଙ୍କୁ ନେଇ ସହରବାସୀ ଆତଙ୍କିତ ଥିବାବେଳେ ଏହି ଘଟଣା ଭୟକୁ ବହୁଗୁଣିତ କରିଛି । ଗତକାଲି ରାତି ପ୍ରାୟ ୯ଟାବେଳେ ସନ୍ଧ୍ୟାରାଣୀ ଘର ଝରକା ପାଖରେ ବସିଥିଲେ । ସେହି ସମୟରେ ଜଣେ ଅଜଣା ଦୁବୃର୍ତ୍ତ ଝରକା ଫାଙ୍କରେ ହାତ ପୂରାଇ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଛି । ପରିବାର ଲୋକ ବାହାରକୁ ଆସି ଦେଖିବାବେଳକୁ ଦୁବୃର୍ତ୍ତ ଫେରାର ହୋଇଯାଇଛି । ମାଲଗୋଦାମ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ କହୁଛି ସୁରାକ ପାଇଛି, ହେଲେ ସାଇକୋ କିଲର ଆତଙ୍କରେ ଫୁଲଷ୍ଟପ୍ ଲାଗିପାରୁ ନାହିଁ । ଆଉ ଏକ ହତ୍ୟାକାଣ୍ଡ ଘଟାଇବା ପାଇଁ ଚେଷ୍ଟା କରିଥିଲେ ବି ସାଇକୋ କିଲର କିନ୍ତୁ ସଫଳ ହୋଇପାରିନି । ସୂଚନାଯୋଗ୍ୟ, କିିଛିଦିନ ତଳେ କଟକରେ ସାଇକୋ କିଲର ବୁଲୁଥିବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଏହି ସାଇକୋ କିଲର ୨୪ ଘଣ୍ଟାରେ ମଧ୍ୟରେ ତିନିତିନି ଜଣଙ୍କ ଜୀବନ ନେଇଥିବା ଖବର ମିଳିଥିଲା । ଏଭଳି ଛାତିଥରା ହତ୍ୟାକାଣ୍ଡର ଖବର ଆସିବା ପରେ ସିଲଭର ସିଟି ସ୍ତବ୍ଧ ହୋଇଯାଇଥିଲା । ତେବେ ଆଉ ଏକ ଏପରି ଘଟଣା ପାଇଁ କଟକବାସୀ ଆହୁରି ଭୟଭୀତ ହୋଇପଡ଼ିଛନ୍ତି ।