ଆଜିଠୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ : ଭୁବନେଶ୍ୱରରେ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ, ରାଜ୍ୟର ଯେକୌଣସି ସ୍ଥାନରୁ ଉଠାଇ ହେବ ରାସନ

1,130

କନକ ବ୍ୟୁରୋ : ଆଜିଠାରୁ ଭୁବନେଶ୍ୱରରେ ଲାଗୁ ହୋଇଛି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଆଜିଠାରୁ ଆରମ୍ଭ ହୋଇଛି । ଏହି ନିୟମ ଅନୁଯାୟୀ, ଆପଣଙ୍କ ପାଖରେ ଯଦି ରାସନ କାର୍ଡ ଅଛି ତେବେ ଆପଣ ଦେଶର ଯେକୌଣସି ସ୍ଥାନରୁ ରାସନ ଉଠାଇପାରିବେ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଭୁବନେଶ୍ୱରରେ ଏହା ଲାଗୁ ହୋଇଛି । ରାଜ୍ୟର ଯେକୌଣସି ସ୍ଥାନରେ ରାସନ କାର୍ଡ ଥିଲେ ମଧ୍ୟ ଆପଣ ରହୁଥିବା ଅଂଚଳରୁ ରାସନ ଉଠାଇପାରିବେ । ରାସନ କାର୍ଡ ଜରିଆରେ ଚାଉଳ, ଗହମ, କିରୋସିନ୍ ଭଳି ସାମଗ୍ରୀ ଉଠାଇହେବ ।

ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଥମେ ବିଏମସି ଲାଗୁ କରିବାକୁ ଯାଉଥିବା ରାସନକାର୍ଡ ପୋର୍ଟେବିଲିଟିରେ ରାସନ କାର୍ଡ ସହ ଆଧାର ଲିଙ୍କ ପ୍ରକ୍ରିୟାକୁ ଆଉ ୧୫ ଦିନ ବଢାଇଦେଇଛନ୍ତି ରାଜ୍ୟ ସରକାର । ରାସନ କାର୍ଡ ସହ ଆଧାର ଲିଙ୍କ ନେଇ ଗତକାଲି ଶେଷ ତାରିଖ ଥିଲା । ରାଜ୍ୟରେ ବର୍ତମାନ ସୁଧା ୯୭ ଦଶମିକ ୭ ପ୍ରତିଶତ ପରିବାରର ରାସନ କାର୍ଡ ସହ ଆଧାର ଲିଙ୍କ ହୋଇସାରିଛି । ତେବେ ପ୍ରାୟ ୨ ଲକ୍ଷ ପରିବାର ଏଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରିନଥିବା ଜଣାପଡିଛି । ୨୦୨୦ ଜୁଲାଇ ମାସରୁ ୱାନ ନେସନ୍ ୱାନ ରାସନକାର୍ଡ ବ୍ୟବସ୍ଥା ସାରା ଦେଶରେ ଲାଗୁ ହେବାକୁ ଯାଉଛି ।

ହିତାଧିକାରୀଙ୍କୁ କ’ଣ ମିଳିବ ସୁବିଧା?

– ଯେକୌଣସି ସହର ବା କଂଟ୍ରୋଲ ଦୋକାନରୁ ମିଳିପାରିବ ରାସନ ସାମଗ୍ରୀ

– ରାସନ ପାଇଁ ଆଉ ନିଜସ୍ୱ ଠିକଣାକୁ ଯିବା ପାଇଁ ପଡ଼ିବ ନାହିଁ

– ରାସନ କାର୍ଡ ଜରିଆରେ ଚାଉଳ, ଗହମ, କିରୋସିନ୍ ଭଳି ସାମଗ୍ରୀ ଉଠାଇହେବ