ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ : ଭୁବନେଶ୍ୱରର ଜଣେ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା,ଏଯାଏ ସୁସ୍ଥ ହେଲେଣି ୩୩ ଜଣ କରୋନା ରୋଗୀ

547

କନକ ବ୍ୟୁରୋ : ଓଡ଼ିଶା ତଥା ରାଜଧାନୀ ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଗତକାଲି ମଧ୍ୟ ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ବି ଜଣେ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଆଜି ସୁଦ୍ଧା ୩୩ ଜଣ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଭୁବନେଶ୍ୱର ଧୀରେ ଧୀରେ କରୋନା ମୁକ୍ତ ହେଉଛି । ରାଜଧାନୀରେ ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ କେନ୍ଦ୍ର ସରକାର ହଟସ୍ପଟ ଜୋନ୍ ଭାବେ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ରେଡ଼୍ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଭୁବନେଶ୍ୱର ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇନଥିଲେ ସୁଦ୍ଧା ଜଣଙ୍କ ପରେ ଜଣେ ସୁସ୍ଥ ହେବ ନିହାତି ଆଶ୍ୱସ୍ତିର ଖବର । ଭୁବନେଶ୍ୱରରେ ମୋଟ୍ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ମୋଟ୍ ଏବେ ସୁଦ୍ଧା ୨୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୩ ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।