ଭଦ୍ରକରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା, ୪୦ ବର୍ଷିୟ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା

1,097

କନକ ବ୍ୟୁରୋ : ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୦ ବର୍ଷିୟ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି । ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ଏହି ନୂଆ କରୋନା ଆକ୍ରାନ୍ତଙ୍କ କନଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୬ ରହିଥିବା ବେଳେ ୩୩ ଜଣ ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି ।

ତେବେ ଭଦ୍ରକରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଲା । ଭଦ୍ରକ, ଯାଜପୁର, ବାଲେଶ୍ୱର ଧୀରେ ଧୀରେ ହଟସ୍ପଟ୍ ଜୋନ୍ ଆଡ଼କୁ ମୁହାଉଛନ୍ତି । ଦିନକୁ ଦିନ ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚାରି ଜଣ ଯାଜପୁରରୁ ଓ ୨ ଜଣ ବାଲେଶ୍ୱରର ବୋଲି ଜଣାପଡ଼ିଥିଲା । ଏପଟେ ଆଜି ସକାଳୁ ସକାଳୁ ପୁଣି ଜଣେ କରୋନା ରୋଗୀ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି । ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଗତକାଲି ୬୦ ଘଂଟା ପାଇଁ ତିନି ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସେପଟେ ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତକାଲି ଗୋଟିଏ ଦିନରେ ୨୪୭୪ଟି ନମୁନା ପରୀକ୍ଷା ହୋଇଛି । ଏହା ପୂର୍ବରୁ ସର୍ବାଧିକ ୨୨୦୯ଟି ନମୁନା ପରୀକ୍ଷା ହୋଇଥିଲା । ବର୍ତମାନ ସୁଦ୍ଧା ୧୮ହଜାର୪୫୮ଟି ନମୁନା ପରୀକ୍ଷା ହୋଇଛି । ସେହିପରି ରାପିଡ ଆଂଟିବଡି ଟେଷ୍ଟ ସଂଖ୍ୟା ରହିଛି ୪ହଜାର୯୭୫ ।