ଶ୍ରମିକରୁ ଉଦ୍ୟୋଗୀ ! ଆତ୍ମନିର୍ଭରଶୀଳ ହେବାର ଏକାନ୍ତ ଇଚ୍ଛା ସଜାଇଛି ସଫଳ କାହାଣୀର ନାୟକ : କଠିନ ପରିଶ୍ରମ କରି ଶ୍ରମିକରୁ ଜଣେ ଉଦ୍ୟୋଗପତି ହୋଇପାରିଛନ୍ତି ବାଲେଶ୍ୱରର ଯୁବକ ସନ୍ତୋଷ

294

କନକ ବ୍ୟୁରୋ : ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଆଗରେ ବାଟ ଓଗାଳି ପାରିଲାନି ଗରିବି । ଆତ୍ମନିର୍ଭରଶୀଳ ହେବାର ଏକାନ୍ତ ଇଚ୍ଛା ଆଜି ତାଙ୍କୁ ସଫଳ କାହାଣୀର ନାୟକ ସଜାଇଛି । ସବୁ ସମସ୍ୟାକୁ ଓ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରି ଜୀବନ ସଂଗ୍ରାମରେ ବାଜି ମାରିଛି ଅଭାବୀ ମଣିଷ । ଶ୍ରମିକରୁ ଜଣେ ସଫଳ ଉଦ୍ୟୋଗପତି ହୋଇପାରିଛନ୍ତି ବାଲେଶ୍ୱରର ଯୁବକ ସନ୍ତୋଷ କୁମାର ସାସମଲ୍ । ନିଜେ ସ୍ୱାବଲମ୍ବୀ ହେବା ସହ ଅନେକ ବେକାର ଯୁବକଯୁବତଙ୍କ ପାଇଁ ରୋଜଗାର ସୃଷ୍ଟି କରିଛନ୍ତି ।

ବାଲେଶ୍ୱର ଭୋଗରାଇ ବ୍ଲକ ସାହାବାଜିପୁର ଗ୍ରାମର ସନ୍ତୋଷ କୁମାର ସାସମଲ୍ । ସ୍ୱପ୍ନ ଦେଖିଥିଲେ ପାଠପଢ଼ି ଭଲ ଚାକରି କରିବି । ମାତ୍ର ଅଭାବ ଅନଟନ କାରଣରୁ ତାଙ୍କ ସବୁ ସ୍ୱପ୍ନ ଅଧାରେ ରହିଯାଇଥିଲା । ଅଷ୍ଟମ ଶ୍ରେଣୀ ପରେ ପାଠପଢ଼ାରେ ଡୋର ବନ୍ଧା ହୋଇଥିଲା । ଆଉ ତା’ପରେ ଆଖିରେ ଆଖିଏ ସ୍ୱପ୍ନ ନେଇ ରାଜଧାନୀ ଭୁବନେଶ୍ୱର ଚାଲିଆସିଥିଲେ ସନ୍ତୋଷ । ସେଠାରେ ଏକ ଘରୋଇ ହୋଟେଲରେ କାମ କରି ଦିପଇସା ରୋଜଗାର କରୁଥିଲେ । ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା । ପରେ ଅଧିକ ରୋଜଗାର ପାଇଁ କେତେବେଳେ ଆଇସକ୍ରିମ ବ୍ୟବସାୟ, ତ କେତେବେଳେ ଆଳୁଦମ ବ୍ୟବସାୟ ଆଉ କେତେବେଳେ ଡ୍ରାଇଭର କାମ କରି ପେଟ ପାଳୁଥିଲେ । ହେଲେ ଏପରି କାମରେ ନାଁ ତ ପେଟ ପୋଷି ହେଉଥିଲା ନାଁ ମିଳୁଥିଲା ସନ୍ତୁଷ୍ଟି ।

ନିଜେ କିଛି କରିବାର ଆଶାନେଇ ଜଣେ ବନ୍ଧୁଙ୍କ ସହ ସିଙ୍ଗାପୁର ଯାଇ ଏକ ପ୍ଲାଷ୍ଟିକ କମ୍ପାନୀରେ ୫ ବର୍ଷ ଯାଏଁ ଶ୍ରମିକ ଭାବେ କାମ କଲେ ସନ୍ତୋଷ । ସେଠାରେ ଅନେକ କଷ୍ଟ ସହ କଠୋର ପରିଶ୍ରମ କରି କିଛି ଟଙ୍କା ସଞ୍ଚୟ କରିଥିଲେ । ଆଉ ସେଠାରୁ ଫେରିବାକୁ ପରେ ସରକାରଙ୍କ ଠାରୁ କିଛି ଆର୍ଥିକ ସହାୟତା ନେଇ ସୋମ ଇଣ୍ଟରନ୍ୟାସନାଲ ନାମରରେ ନିଜର ପ୍ଲାଷ୍ଟିକ ପାଣି ଟାଙ୍କି କାରଖାନା ପ୍ରତିଷ୍ଠା କରିଛନ୍ତି । ଦିଲ୍ଲୀ,ହଳଦିଆ ପେଟ୍ରୋ କେମିକାଲ ଓ କଲିକତାରୁ କଞ୍ଚା ମାଲ ଆଣି ପାଣି ଟାଙ୍କି ତିଆରି କରୁଛନ୍ତି । ଆଉ ଗ୍ରାହକଙ୍କୁ ଚାହିଦାକୁ ଆଖି ଆଗରେ ରଖି ଡିଷ୍ଟ୍ରିବ୍ୟୁଟର ଜରିଆରେ ଉନ୍ନତ ମାନର ପାଣି ଟାଙ୍କି ବଜାରକୁ ଛାଡ଼ୁଛନ୍ତି ।

କାରଖାନାରେ ସନ୍ତୋଷ ଗାଁର ୨୧ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି କାରଖାନାରୁ ମାସକୁ ଲେବର ମାନଙ୍କୁ ୮ ରୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦେବା ସହ ନିଜେ ୪୫ ରୁ ୫୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସରକାରଙ୍କ ସ୍ବରୋଜଗାର ଯୋଜନାରୁ କିଛି ଆର୍ଥିକ ସହାୟତା ମିଳିପାରିଲେ ନୂଆ ନୂଆ ଡିଜାଇନର ଟାଙ୍କି ତିଆରି କରିବା ସହ ଅଧିକ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେଇ ପାରନ୍ତେ ବୋଲି କହିଛନ୍ତି ସନ୍ତୋଷ ।