ଖରାର ତାତିକୁ ବଳି ପଡୁଛି ନିର୍ବାଚନୀ ତାତି ! ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା

603

କନକ ବ୍ୟୁରୋ : ବଲାଙ୍ଗୀରରେ ଖରାର ତାତିକୁ ବଳି ପଡୁଛି ନିର୍ବାଚନୀ ତାତି । ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିରରେ ଭୋଟ ପଡିବାକୁ ଥିବା ବେଳେ ପ୍ରଚାର ମଇଦାନରେ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ସ୍ୱାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପ୍ରଚାରକୁ ଯୋରଦାର କରିଛନ୍ତି ବିଦୁଷ୍ମିତା । ଆଜି ସେ ସ୍କୁଟିରେ ବିଜେପିର ମହିଳା ମୋର୍ଚ୍ଚା କର୍ମୀଙ୍କ ସହ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିର ବାଜିମାତ୍ ହେବ ବୋଲି ବିଦୁସ୍ମିତା ଦାବି କରିଛନ୍ତି । ବଲାଙ୍ଗିର ବିଧାନସଭା ଗାଦି ପାଇଁ କଂଗ୍ରେସର ନରସିଂହ ମିଶ୍ର, ବିଜେଡିର ଅର୍କେଶ ସିଂଦେଓ ଓ ବିଜେପିର ଅନନ୍ତ ଦାଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ସେପଟେ ବରଗଡ ଲୋକସଭା ଆସନରେ ଏଥର ହେଉଛି ବଡ ମୁକାବିଲା । ଏଠାରେ ବିଜେଡିରୁ ଲଢୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବିଜେପିରୁ ସୁରେଶ ପୂଜାରୀ ଓ କଂଗ୍ରେସରୁ ପ୍ରଦୀପ ଦେବତା ।  ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ୧୮ ତାରିଖର ଏହି ଭୋଟ ପାଇଁ ୩ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଗତଥର ଏଠାରୁ  ବିଜେଡିର ପ୍ରଭାସ ସିଂ ବିଜୟ ଲାଭ କରିିଲେ ।  ସେ ୩ ଲକ୍ଷ ୮୩ ହଜାରରୁ ଅଧିକ ଭୋଟ ପାଇଥିଲେ ।

ପ୍ରଚାର ମୈଦାନରେ ଅତାବିରା ବିଧାନସଭା ଆସନ ପାଇଁ  ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିକାଶର ମୁଦ୍ଦାକୁ ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ବିଜୁ ଜନତା ଦଳ ପ୍ରତି ଲୋକଙ୍କ ସମର୍ଥନ ଅଛି । ଅଂଚଳରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସମସ୍ୟା , ରାସ୍ତାନିର୍ମାଣ ସହ ବିଭିନ୍ନ ଜନହିତକାର କାମ ହୋଇଛି ।  ତେଣୁ ଏଠାରେ ନିଶ୍ଚିତ ବିଜେଡି ଜିତିବ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।